କନକ ନ୍ୟୁଜ୍ ଓଡ଼ିଶା ବିଜିନେସ୍ ଆଓ୍ଵାର୍ଡସ୍ ୨୦୧୭ : ଉତ୍କର୍ଷ ପାଇଁ ୩୭ ସଂସ୍ଥା ସମ୍ବର୍ଧିତ
କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ସଂସ୍ଥାକୁ ପ୍ରୋତ୍ସାହିତ କରିବା ତଥା ଶିଳ୍ପପତିଙ୍କ ସଫଳତାକୁ ମାନ୍ୟତା ଦେବାର ଉଦ୍ଦେଶ୍ୟରେ କନକ ନିଉଜ୍ ଓ ସମ୍ବାଦ ଗ୍ରୁପ୍ ପକ୍ଷରୁ ଓଡ଼ିଶା ବିଜିନେସ୍ ଆଓ୍ଵାର୍ଡସ୍-୨୦୧୭ କାର୍ଯ୍ୟକ୍ରମ ଆଜି ହୋଟେଲ ମେ ଫେୟାରରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକୁ ପରସ୍ପର ମଧ୍ୟରେ ଯୋଡ଼ିବା ମଧ୍ୟ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ରାଜ୍ୟରେ ପ୍ରଥମଥର ନିମନ୍ତେ ଏପରି ଅଭିନବ ପଦକ୍ଷେପ ନିଆଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ବର୍ଗରେ ୭୭ ସଂସ୍ଥାକୁ ଏହି ପୁରସ୍କାର ନିମନ୍ତେ ଚୟନ କରାଯାଇଥିବାବେଳେ ଜୁରି ଏବଂ ଅନ୍-ଲାଇନ୍ ଭୋଟିଂ ମାଧ୍ୟମରେ ସେମାନଙ୍କ ମଧ୍ୟରୁ ୩୭ଟି ସଂସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ। ଆଉ ଆଜି ସନ୍ଧ୍ୟାରେ ଏକ ଭବ୍ୟ ଉତ୍ସବରେ ଅତିଥିମାନେ ଏହି ସବୁ ସଂସ୍ଥାର ପ୍ରତିନିଧିଙ୍କୁ ସମ୍ବର୍ଧନା ଜ୍ଞାପନ କରିଥିଲେ। ଏହା ବ୍ୟତୀତ ଓଡ଼ିଶା ବିଜିନେସ୍ ଆଓ୍ଵାର୍ଡସ୍ ୨୦୧୭ର ପ୍ରଥମ ସଂସ୍କରଣରେ ଶ୍ରେଷ୍ଠ ବିଜିନେସ୍ ପର୍ସନ୍ ଅଫ୍ ଦି ଇୟର୍ ଭାବରେ ବିଶିଷ୍ଟ ହୋଟେଲ୍ ବ୍ୟବସାୟୀ ତଥା ବିଧାୟକ ଦିଲ୍ଲୀପ ରାୟଙ୍କୁ ପୁରସ୍କୃତ କରାଯାଇଥିଲା।
ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ଦେବାଶିଷ ନାୟକ, ଆକାଶ ଦାସ ନାୟକ, ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଇମ୍ଫା ଗ୍ରୁପ୍ ଏମ୍ଡି ଶୁଭ୍ରାଂଶୁ ପଣ୍ଡା, ବିଜେପି ନେତା ସଜ୍ଜନ୍ ଶର୍ମା, ଗୋଲକ ମହାପାତ୍ର, ଦିଲୀପ ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ, ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ଜେଡ୍-ଇଷ୍ଟେଟ୍ ଏମ୍ଡି ତପନ ମହାନ୍ତି, ‘ସମ୍ବାଦ’ ଗ୍ରୁପ୍ର ଏମ୍ଡି ମୋନିକା ନେୟାର ପଟ୍ଟନାୟକ, କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, କଣ୍ଠଶିଳ୍ପୀ ସସ୍ମିତା ଦାସ ଓ ଆୟେଶା ଦାସ ପ୍ରମୁଖ ବିଭିନ୍ନ ସଂସ୍ଥାର ପ୍ରତିନିଧିମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଅନନ୍ୟା ଶ୍ରୀତମ ନନ୍ଦ, ସତ୍ୟଜିତ ଜେନା ପ୍ରମୁଖ ଦର୍ଶକଙ୍କୁ ସଙ୍ଗୀତର ଯାଦୁରେ ବିମୋହିତ କରିଥିବା ବେଳେ ଷ୍ଟାଣ୍ଡ୍ ଅପ୍ କମେଡିଆନ ହୃଦୟ ରଞ୍ଜନ ମଜା ମଜା କଥା କହି ସମସ୍ତଙ୍କ ଭରପୂର୍ ମନୋରଂଜନ କରିଥିଲେ।