୮୫ ମିନିଟ୍ ପାଇଁ କମଳା ହାରିସ ହେଲେ ଆମେରିକା ରାଷ୍ଟ୍ରପତି । କିନ୍ତୁ କାହିଁକି?

253

କନକ ବ୍ୟୁରୋ : ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିଲା ରାଷ୍ଟ୍ରପତିଙ୍କ କ୍ଷମତା । ୮୫ମିନିଟ ଅର୍ଥାତ ଏକ ଘଂଟା ୨୫ ମିନିଟ ପାଇଁ ଉପ ରାଷ୍ଟ୍ରପତି କମଳା ହାରିସ ରାଷ୍ଟ୍ରପତି ଦାୟିତ୍ୱ ସମ୍ଭାଳିଥିବା ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକୀୟ ସମୟ ଶୁକ୍ରବାର ସକାଳ ୧୦ଟା ୧୦ ମନିଟରୁ ୧୧ଟା ୩୫ମିନିଟ ପର୍ଯ୍ୟନ୍ତ କମଳା ହାରିସଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ମିଳିଥିଲା ।

ରୁଟିନ୍ ଚେକ୍ଅପ୍ ପାଇଁ ୱାଲଟର ରିଡ୍ ମିଲିଟାରୀ ହସପିଟାଲରେ ବାଇଡେନ୍ଙ୍କ କଲୋନୋସ୍କୋପି କରାଯାଇଥିଲା । ସେଥିପାଇଁ ତାଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା । ଆଉ ସେହି ସମୟରେ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଉପ ରାଷ୍ଟ୍ରପତି କମଳା ହାରିସ । ଆମେରିକା ଇତିହାସରେ ପ୍ରଥମ ମହିଳା ଭାବେ ତାଙ୍କୁ ଏପରି କ୍ଷମତା ମିଳିଥିଲା ।

୨୫୦ ବର୍ଷ ମଧ୍ୟରେ ଆମେରିକାରେ କୌଣସି ମହିଳାଙ୍କୁ ଏଯାଏଁ ରାଷ୍ଟ୍ରପତି ଦାୟିତ୍ୱ ମିଳିନଥିଲା । ଆମେରିକାର ସମ୍ବିଧାନ ଅନୁଯାୟୀ, ରାଷ୍ଟ୍ରପତି ଆନାସ୍ଥେସିଆ ପ୍ରଭାବରେ ରହିଥିବା ବେଳେ ଉପରାଷ୍ଟ୍ରପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ପୂର୍ବରୁ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ଙ୍କ ସମୟରେ ଦୁଇ ଥର ଏପରି କରାଯାଇଛି । ୨୦୦୨ ଓ ୨୦୦୭ରେ କଲୋନୋସ୍କୋପି ପାଇଁ ତାଙ୍କୁ ଆସ୍ଥେସିଆ ନେବାକୁ ପଡ଼ିଥିଲା ଏବଂ ସେ ଉପରାଷ୍ଟ୍ରପତିଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ । ତେବେ ଏହି ସମୟରେ କୌଣସି ମହିଳା ଉପରାଷ୍ଟ୍ରପତି ନଥିଲେ ।