କଲ୍ୟାଣସିଂପୁର ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ତାଲା। ଆବାସ ଯୋଜନାରେ ଗୃହ ବଣ୍ଟାନକୁ ନେଇ କଥା କଟାକଟି ପରେ ଅଟକ।

93

କନକ ବ୍ୟୁରୋ: ବିଡିଓଙ୍କୁ ସଭାଗୃହରେ ତାଲା ପକାଇ ଅଟକ ରଖିଲେ ପଞ୍ଚାୟତର ଜନ ପ୍ରତିନିଧି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଆବାସ ଯୋଜନାର ଗୃହ ଆବଣ୍ଟନ ଓ ମନଇଛା ହିତାଧିକାରୀ ତାଲିକା ପ୍ରସ୍ତୁତ ପ୍ରତିବାଦରେ ବିଡିଓଙ୍କୁ ତାଲା ପକାଇଥିବା ଜଣାପଡିଛି । ବୈଠକରେ ହିତାଧିକାରୀ ତାଲିକାକୁ ନେଇ ବିଡିଓ ଏବଂ ବିଭିନ୍ନ ପଞ୍ଚାୟତ ଜନପ୍ରତିନିଧିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହି ଘଟଣାକୁ ନେଇ ସଭାଗୃହ କାର୍ଯ୍ୟାଳୟରେ ତାଲା ପକାଇ ବିଡିଓ ମନୀଷା ଦାସ ଓ ବ୍ଲକ ପ୍ରଶାସନର ଅନ୍ୟ ଅଧିକାରୀଙ୍କୁ ଅଟକ ରଖିଥିଲେ ପଞ୍ଚାୟତର ଜନପ୍ରତିନିଧି । ଖବର ପାଇ କାଶୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଡିଓ ସହ ଅନ୍ୟ ଅଧିକାରୀଙ୍କୁ ଉଦ୍ଧାର କରିଥିଲା । ଏନେଇ କାଶୀପୁର ବ୍ଲକ ପ୍ରଶାସନ ପକ୍ଷରୁ ଏକ ଏତଲା ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁସାରେ କାଶୀପୁର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ଆବାସ ଗୃହ ବଣ୍ଟନ ନେଇ ବୈଠକ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷଙ୍କ ସହ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ସାମିଲ ହୋଇଥିଲେ । ପଞ୍ଚାୟତର ଜନପ୍ରତିନିଧିଙ୍କ ଅଗୋଚରରେ ବିଡିଓ ମନ ଇଛା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥିବା ଅଭିଯୋଗ ବୈଠକରେ ଉଠିଥିଲା । ଏହାର ପ୍ରତିବାଦରେ ବିଡିଓଙ୍କୁ ସଭାଗୃହରେ ତାଲା ପକାଇ ଅଟକ ରଖିଥିଲେ ଜନପ୍ରତିନିଧି । ଘଟଣାକୁ ନେଇ କାଶୀପୁର ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ ।