ମାଲକାନଗିରି : ୧୨ ଘଂଟିଆ କାଲିମେଳା ବନ୍ଦ, ଭୂ-ଆନ୍ଦୋଳନ ଜୋରଦାର କଲା କଂଗ୍ରେସ୍

25

କନକ ବ୍ୟୁରୋ : ୧୨ ଘଂଟିଆ କାଲିମେଳା ବନ୍ଦ । ଭୂ-ଆନ୍ଦୋଳନ ଜୋରଦାର କରିଛି କଂଗ୍ରେସ । ଜମି ଅଧିକାର ଦାବି ନେଇ କାଲିମେଳା ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଅଟକ ରଖିଥିବା କଂଗ୍ରେସ ଆଜି କାଲିମେଳା ବନ୍ଦ ପାଳନ କରୁଛି । କଂଗ୍ରେସର ବନ୍ଦ ଡାକରାରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡି ଚଳାଚଳ ଠପ୍ ହୋଇଯାଇଛି । ଫଳରେ ମାଲକାନଗିରି, ମୋଟୁ ଭଳି ଅଂଚଳକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି ।
କାଲିମେଳା ବ୍ଲକରେ ଦୁର୍ନୀତି ଓ ଲାଂଚ କାରବାର ଅଭିଯୋଗରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ବ୍ଲକ ଅଫିସ ହେଉ ବା ତହସିଲ ସବୁଠି ରହିଛି ଦୁର୍ନୀତିର ଗନ୍ଧ । ଆରଆଇ ଅଫିସ ବି ପଛରେ ପଡିନି । ଜାତିଗତ ପ୍ରମାଣ ପତ୍ର, ଇନକମ୍ ସାର୍ଟିଫିକେଟ୍ ହେଉ ବା ବାଲି ଲିଜ୍ ସବୁ କାମରେ କାଲିମେଳା ବ୍ଲକରେ ଟଙ୍କା କାରବାର ଚାଲିଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । ଗତକାଲି ଶତାଧିକ କଂଗ୍ରେସ କର୍ମୀ, କାଲିମେଳା ତହସିଲରେ ଧଶେଇ ପଶିବା ସହ ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ପ୍ରାୟ ୧୨ ଘଂଟା ଧରି ଅଟକ ରଖିଥିଲେ ।

ପୂର୍ବତନ ସାସଂଦ ତଥା ଆଦିବାସୀ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଗତକାଲି ତହସିଲ ଭିତରେ ପଶି ଧାରଣା ଦେଇଥିଲେ ଶତାଧିକ ଆଦିବାସୀ ଏବଂ କଂଗ୍ରେସ କର୍ମୀ । ବିଳମ୍ବିତ ରାତି ଯାଏଁ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଥିଲେ ଆନ୍ଦୋଳନକାରୀ । ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସମସ୍ତ କର୍ମଚାରୀ ରାତି ୧୨ଟାରେ ଆନ୍ଦୋଳନକାରୀଙ୍କ କବଳରୁ ମୁକୁଳିଥିଲେ ।