ଚିହ୍ନଟ ହେଲେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ : ଫେରିଆସିବ କି କାଳିଆ ଟଙ୍କା ? 

1,225

କନକ ବ୍ୟୁରୋ : ଫେରିଆସିବ କି କାଳିଆ ଟଙ୍କା ? ଚିହ୍ନଟ ହେଲେ ଅଯୋଗ୍ୟ ହିତାଧିକାରୀ । କାଳିଆ ଯୋଜନାର ୨ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । କାଳିଆ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଅପବ୍ୟବହାର ନକରିପାରନ୍ତି, ସେଥିପାଇଁ ରାଜ୍ୟ ସରକାର ଯାଂଚ ପ୍ରକ୍ରିୟା ଜାରି ରଖିଛନ୍ତି । ଏହାସହ କାଳିଆ ଟଙ୍କା ପାଇବାକୁ ଯୋଗ୍ୟ ହିତାଧିକାରୀ ଯେପରି ବଂଚିତ ନୁହୁଅନ୍ତି ସେଥିପ୍ରତି ମଧ୍ୟ ରାଜ୍ୟ ସରକାର ସଚେତନ ଅଛଛି । କୌଣସି କାରଣବଶତଃ କାଳିଆ ଯୋଜନାରୁ ଲାଭ ଉଠାଇ ପାରୁନଥିବା ହିତାଧିକାରୀ ପରେ ଯୋଜନାରେ ସାମିଲ ହେବାର ସମସ୍ତ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନାହିଁ କାଳିଆ ଟଙ୍କା । ସାରା ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କ ଯାଂଚ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯୋଗ୍ୟତା ପୂରଣ କରୁନଥିବା କିଛି ହିତାଧିକାରୀ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ଚାଲାକି କରି ଲାଭବାନ ହୋଇଯାଇଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଗ୍ରାମପଞ୍ଚାୟତ ଓ ବ୍ଲକ୍ ସ୍ତରରେ ନୋଡ଼ାଲ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ଆଜି ସୁଦ୍ଧା ୭୨ ପ୍ରତିଶତ ଅର୍ଥାତ୍ ମୋଟ୍ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ଯାଂଚ ହୋଇଛି । ସେଥିମଧ୍ୟରୁ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ । ୩୧ ତାରିଖ ସୁଦ୍ଧା ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ  । ପୂର୍ବରୁ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ମାତ୍ର ୧୩ ଲକ୍ଷ ହିତାଧିକାରୀଙ୍କର ଯାଞ୍ଚ ହୋଇଥିଲା । ସେଥିପାଇଁ ଯାଞ୍ଚ ଅବଧିକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି ।

କୃଷକଙ୍କ ଆର୍ଥିକ ସହାୟତା ପ୍ରଦାନ ତଥା କୃଷିଭିତ୍ତିକ ସମୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କାଳିଆ ଯୋଜନା ଆଣିଥିଲେ । ୫୧ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ରାଜ୍ୟ ସରକାରଙ୍କ ଏହି ଜନହିତକାରି ଯୋଜନାରୁ ଉପକୃତ ହୋଇଛନ୍ତି । ୭୫ ଲକ୍ଷ କୃଷକଙ୍କ ହିତ ସାଧନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ଆଣିଥିଲେ ।