ଚାଷୀଙ୍କ ପାଇଁ ନବୀନ ସରକାରଙ୍କ ବଡ ଘୋଷଣା । କୃଷକଙ୍କ ପାଇଁ ‘କାଳିଆ’ ସ୍କିମ, ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା । ସ୍ୱତନ୍ତ୍ର ସହାୟତା ସହ ମିଳିବ ଜୀବନ ବୀମାର ଫାଇଦା 

2,212

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ନବୀନ ସରକାରଙ୍କ ବଡ ଘୋଷଣା ।  ଚାଷୀଙ୍କ ପାଇଁ କାଳିଆ ସ୍କିମର ଘୋଷଣା କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ ଚାଷୀଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ବସିଥିବା କ୍ୟାବିନେଟ ବୈଠକରେ ଏହି ବଡ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

କାଳିଆ ସ୍କିମରେ ୫ଟି ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏହି ସ୍କିମ ମାଧ୍ୟମରେ ୩୦ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଚାଷୀ ଉପକୃତ ହେବେ । ଏହାଛଡା ଏହି ସ୍କିମରେ ଖରିଫ ଓ ରବି ଚାଷ ପାଇଁ ଚାଷୀ ପରିବାରକୁ ମିଳିବ ୧୦ ହଜାରର ସହାୟତା ମିଳିବ । ଜମିର ମାଲିକ ନୁହେଁ ବରଂ ଭାଗ ଓ ପ୍ରକୃତ ଚାଷୀ ଏହାର ଫାଇଦା ପାଇବେ ।

ଏହାଛଡା କାଳିଆ ଯୋଜନାରେ ବୟସ୍କ ଚାଷୀ ଓ ଭୂମିହୀନ ଚାଷ ଶ୍ରମିକଙ୍କ ପାଇଁ ସହାୟତା ଦେବେ ସରକାର । ଏମାନଙ୍କୁ ଜୀବନ ନିର୍ବାହ ପାଇଁ ବର୍ଷକୁ ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ଦେବେ ସରକାର । ଗ୍ରାମପଞ୍ଚାୟତ ସ୍ତରରେ ପ୍ରକୃତ ହିତାଧୀକାରୀଙ୍କୁ ଚିହ୍ନଟ କରାଯାଇ ଏହି ସହାୟତା ପ୍ରଦାନ କରାଯିବ । ଆଗାମୀ ଦୁଇ ବର୍ଷରେ ୧୦ ଲକ୍ଷ ପରିବାର ପାଇଁ ଏ ବାବଦରେ ପ୍ରାୟ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।

କୃଷକଙ୍କ ପାଇଁ କାଳିଆ ଯୋଜନା ଖୁସି ଆଣିଛି । ଏହି ଯୋଜନାରେ ଚାଷୀ ଓ ଭୂମିହୀନ କୃଷି  ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦେବେ ସରକାର । ଏହାଦ୍ୱାରା ୫୭ ଲକ୍ଷ ପରିବାର ଏହାର ଫାଇଦା ଉଠାଇ ପାରିବେ ।

ଏହି ଯୋଜନାରେ ଚାଷୀ ମାନେ ଆଉ ଏକ ଫାଇଦା ମଧ୍ୟ ପାଇପାରିବେ । ଏଣିକି ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ।  ଏଥିପାଇଁ ଆଗାମୀ ତିନିବର୍ଷ ମଧ୍ୟରେ ୧୦,୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ । କାଳିଆ ଯୋଜନାରେ ପ୍ରାୟ ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।

ଆଗକୁ ୨୦୧୯ ନିର୍ବାଚନ ଓ ୨୪ରେ ମୋଦିଙ୍କ ଗସ୍ତ ପୂର୍ବରୁ କାଳିଆ ଯୋଜନାର ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ନବୀନ । କାରଣ ଡିସେମ୍ବର ୨୪ରେ ମୋଦି ୧୪,୫୨୩ କୋଟି ପ୍ୟାକେଜ ଧରି ଓଡିଶା ଗସ୍ତରେ ଆସୁଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସାମିଲ ରହିଛି । ତେଣୁ ଏହାପୂର୍ବରୁ ନବୀନ କାଳିଆ ଯୋଜନାର ଘୋଷଣା କରି ରାଜ୍ୟର ଚାଷୀ ଭାଇ ମାନଙ୍କ ମନ ଜିଣିବାକୁ ଲକ୍ଷ୍ୟ ରଖିଛନ୍ତି । ଆଉ ଏହି ଘୋଷଣା ସହ ନବୀନ ୨୦୧୯ରେ ଚାଷୀଙ୍କ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ।