କନକ ବ୍ୟୁରୋ : ରାଜ୍ୟରେ ଚାଷୀଙ୍କ ଅବସ୍ଥା କିଭଳି ଅଛି, ତାର ଅନେକ ଚିତ୍ର ଆମ ପାଖକୁ ଆସେ । କେଉଁଠି ତଳି କିଣିବାକୁ ଚାଷୀଙ୍କ ପାଖରେ ଟଙ୍କା ନାହିଁ ତ କେଉଁଠି ସାରର ଅଭାବ ଯୋଗୁଁ ଚାଷୀ ଆନ୍ଦୋଳନ କରୁଥିବାର ଚିତ୍ର ସାମ୍ନାକୁ ଆସେ । କେଉଁଠି ଚାଷୀର ଧାନ ବିକ୍ରି ନ ହେଉଥିବା ଅଭିଯୋଗ ଆସେ ତ କେଉଁଠି ଚାଷୀ ଋଣ ନସୁଝିପାରୁଥିବାର କଥା ସାମ୍ନାକୁ ଆସେ । ଚାଷ ଓ ଚାଷୀର ଏଭଳି ଏକ ସ୍ଥିତି ଭିତରେ ସାରା ରାଜ୍ୟର ଚାଷୀଙ୍କୁ ଉକ୍ରଳ ଦିବସର ଭେଟି ଦେଇଛନ୍ତି ସରକାର । ପ୍ରାୟ ୪୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଡିବିଟି ଜରିଆରେ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ଆଉ ଟଙ୍କା ପାଇ ଖୁସି ବ୍ୟକ୍ତ କରିଛନ୍ତି କିଛି ଚାଷୀ ।

Advertisment

କେଉଁଠି ସ୍ୱାଗତ, ତ ପୁଣି କେଉଁଠି ସମାଲୋଚନା । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଯୋଗାଇ ଦିଆଯାଉଥିବା ଏହି କାଳିଆ ସହାୟତାକୁ ନେଇ ଆମେ ରାଜ୍ୟର ବିଭିନ୍ନ ଅଂଚଳରୁ ଚାଷୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ବିଶେଷ କରି କାଳିଆ ଟଙ୍କା ପାଇବା ପରେ ସେମାନେ କରନ୍ତି କଣ ଜାଣିବାକୁ ଚାହିଁବାରୁ ଦୁଇଟି କିସ୍ତିରେ ୨ ହଜାର ଲେଖାଏଁ ମୋଟ୍ ୪ ହଜାର ଟଙ୍କାର ସହାୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ । ପୂର୍ବାପେକ୍ଷା ତଳି , ସାର ଟ୍ରାକ୍ଟର ଭଡା, ଘାସ ବଛ. ତଳି ରୁଆ, ଖତପାଇଁ ଭଡା ବଢିଥିବାରୁ ସହାୟତ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି ଚାଷୀ ।

ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ବର୍ଷକୁ ୨ ଥର ଅକ୍ଷୟ ତୃତୀୟା ଓ ନୂଆଁଖାଇରେ କାଳିଆ ଟଙ୍କା ଦେବାକୁ ଘୋଷଣା ହୋଇଥିଲା ।ତେବେ ଏଥର ଅକ୍ଷୟ ତୃତୀୟା ପୂର୍ବରୁ ଉକ୍ରଳ ଦିବସରେ ଚାଷୀଙ୍କୁ ଟଙ୍କା ପଠାଇଛନ୍ତି ସରକାର ।ଦୁଇଟି କିସ୍ତିରେ ପାଂଚ ହଜାର ଲେଖାଏଁ ବର୍ଷକୁ ଦଶ ହଜାର ଟଙ୍କା ଦିଆଯାଉଥିବାବେଳେ ଏବେ ଏହାକୁ କମାଇ ଦୁଇ ହଜାର ଲେଖାଏଁ ୪ ହଜାର କରିଦିଆଯାଇଛି ।