କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର । ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ କାରିଗର । ଏଥର ଦୁଇଦିନ ଧରି ହେବ ଭସାଣ ଉତ୍ସବ ।
କନକ ବ୍ୟୁରୋ: ଯାଜପୁରର ଗଣପର୍ବ କାଳୀପୂଜା । ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ହୋଇଉଠିଛି ଚଳଚଞ୍ଚଳ । ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ କାରିଗର । ସୁଉଚ୍ଚ ତୋରଣ ଓ ଆଲୋକ ସଜ୍ଜା ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରର କାରିଗରମାନେ ଲାଗିପଡିଛନ୍ତି । ଅନ୍ୟପଟେ କାଳୀପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ପୂଜା କମିଟିମାନଙ୍କ ସହିତ ବୈଠକ ସରିଛି । ଚଳିତ ବର୍ଷ ଭସାଣ ଉତ୍ସବ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଶବ୍ଦ ପ୍ରଦୁଷଣକୁ ରୋକିବା ପାଇଁ କଡା ନିର୍ଦ୍ଧେଶ ଜାରି କରିଛି ପ୍ରଶାସନ ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ସହରର ୫୫ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ମା କାଳୀ ଏବଂ ଲକ୍ଷ୍ମୀନାରାୟଣ । ମାଙ୍କ ଆଗମନ ପାଇଁ ସହର ସାରା ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି । ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା ସହିତ ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ପୂଜା କମିଟି । ଏଥିପାଇଁ ମଣ୍ଡପ ମାନଙ୍କରେ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଲାଇଟ୍ ଗେଟ୍ ନିର୍ମାଣ କରାଯାଇଛି । ସେପଟେ ଚଳିତ ପୂଜାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସହରବାସୀ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଭସାଣ ଉତ୍ସବରେ ଡିଜେ ବାଜିବାରେ କଟକଣା ଜାରି ହୋଇଛି । ପାର୍କିଂ ଓ ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱର ସହ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି ପ୍ରଶାସନ ।