ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

51

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ରେଳବାଇର ଏକ ପ୍ରକଳ୍ପ ସ୍ଥାପନ ନେଇ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଇଲେକ୍ଟ୍ରିକ କଳାହାଣ୍ଡି ଲୋକୋମୋଟିଭ୍ ପିରିଓଡିକ୍ ଓଭରହଲ ମରାମତି କେନ୍ଦ୍ର ଖୋଲିବା ପାଇଁ ଜଏଂଟ ୱାର୍କିଂ କମିଟି ପ୍ରସ୍ତାବ ଦେଇଥିବା ସେ ଉଲ୍ଲେଖ କରିଛନ୍ତି । ନର୍ଲାରୁ ୱାଗନ ଫେକ୍ଟ୍ରି ସ୍ଥାନାନ୍ତର ହେବା ପରେ ସେଠାରେ ଏକ ରେଳ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଏକ ଜଏଂଟ ୱାର୍କିଂ କମିଟି ଗଠନ ହୋଇଥିଲା ।

ଏହି କମିଟିରେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ରହିଥିଲେ । ସେମାନେ ସ୍ଥାନୀୟ ଅଂଚଳର ସବୁ ଦିଗକୁ ଅନୁଧ୍ୟାନ କରି ଏହି ପ୍ରସ୍ତାବ ଦେଇଥିବା ନବୀନ ଚିଠିରେ ଲେଖିଛନ୍ତି । ବିଦ୍ୟୁତିକରଣ କର୍ମଶାଳା ପୂର୍ବତଟ ରେଲବାଇ ନିକଟରେ ନଥିବାରୁ ଏହା ସବୁଦୃଷ୍ଟିରୁ ଗ୍ରହଣୀୟ ପ୍ରକଳ୍ପ ହେବ ବୋଲି ସେ ମତ ଦେଇଛନ୍ତି । ସେପଟେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ୨୫୦ ଏକର ଜମି ରାଜ୍ୟ ସରକାର ମାଗଣାରେ ଦେବେ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । କେବିକେ ଅଂଚଳର ଆର୍ଥିକ ବିକାଶ ଓ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ଜମି ଦେବାରେ ସରକାର କୁଣ୍ଠା ପ୍ରକାଶ କରିବେ ନାହିଁ ବୋଲି ରେଳ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।