କର୍ଲାପାଟ ଅଭାୟାରଣ୍ୟରେ ହାତୀ ମଡ଼କ ଘଟଣା : ଆଜିଠାରୁ ୨୨ ତାରିଖ ଯାଏଁ ହାତୀ ମଡ଼କର ହେବ ତଦନ୍ତ

43

କନକ ବ୍ୟୁରୋ : କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ ଦଳ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାର ଅନୁଧ୍ୟାନ କରିବେ । ଆଜିଠାରୁ ୨୨ ତାରିଖ ଯାଏ ସେମାନେ କରଳାପାଟ ଯାଇ ହାତୀ ମଡ଼କର କାରଣ ଖୋଜିବେ । ପିସିସିଏଫ ଶଶୀ ପଲ ଏନେଇ ସୂଚନା ଦେଇଛନ୍ତି । ଡ୍ରୋନ କ୍ୟାମେରା ଓ ଟ୍ରାପ କ୍ୟାମେରା ଦ୍ୱାରା ଅନ୍ୟ ହାତୀଙ୍କ ଗତିବିଧିଙ୍କ ଲକ୍ଷ୍ୟ କରାଯାଉଛି ।

ଦୁଇ ପ୍ରକାର ଡ୍ରୋନ ବ୍ୟବହାର କରାଯାଉଛି  । ଗୋଟିକରେ ଥର୍ମାଲ ସେନ୍ସର ଲାଗିଛି ଯାହା ରାତିର ଗତିବିଧି ନିରୀକ୍ଷଣ  କରିବା ସହିତ ତାପମାତ୍ର ବିଷୟରେ ସୂଚନା ଦେବ । ଅନ୍ୟଟି ହାତୀର ଚଳପ୍ରଚଳ ଉପରେ ନଜର ରଖିବ । ସାହାଣ ରୋଗ ବା ହେମୋରେଜ ସେପ୍ଟିସେମିଆରେ ହାତୀ ମୃତ୍ୟୁ ରାଜ୍ୟରେ ପ୍ରଥମ ଘଟଣା । ଏହି ରୋଗ ସାଧାରଣତଃ ଗାଈ ଗୋରୁଙ୍କୁ ହୋଇଥାଏ । ତେଣୁ ନିକଟରେ ଥିବା ଜନବସତିର ସମସ୍ତ ଗାଈଗୋରୁଙ୍କୁ ଟିକା ଦିଆଯାଉଛି । ହାତୀ ବ୍ୟବହାର କରୁଥିବା ଜଳାଶୟକୁ ମଧ୍ୟ ବିଶୋଧନ କରାଯାଉଛି ବୋଲି କହିଛନ୍ତି ପିସିସିଏଫ ।

ସୂଚନାନୁସାରେ, ଗତ ଫେବ୍ରୁଆରି ୧ ତାରିଖ ଠାରୁ ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ସପ୍ତାହ ମଧ୍ୟରେ ୬ଟି ମାଈ ହାତୀ ମୃତ୍ୟୁ ଘଟିଛି। ମୃତ୍ୟୁ ଘଟିବାର ମାସେ ପୂର୍ବରୁ ଜାକମ ଠାରେ ୨ଟି, କର୍ଲାପାଟ ଠାରେ ୨ଟି ଓ କିଆପଦର ଠାରେ ୨ଟି ସମେତ ୬ଟି ଟ୍ରାପ କ୍ୟାମେରା ଲାଗିଥିଲା । କିନ୍ତୁ ହାତୀ ମଡ଼କର ମାସେ ପୂର୍ବରୁ ଏହି ୬ଟି କ୍ୟାମେରାକୁ ବନ ବିଭାଗ ପକ୍ଷରୁ କାଢ଼ି ନିଆଯାଇଥିଲା । ଏହି କ୍ୟାମେରା କଢ଼ାଯିବା ନେଇ ମାଓବାଦୀ ଭୟ ଆଳ ନା ହାତୀ ମଡ଼କ ଷଡ଼ଯନ୍ତ୍ର ତାହା ତଦନ୍ତ ସାପେକ୍ଷ । ବର୍ତ୍ତମାନ ତରବରିଆ ଭାବରେ ଗତ ସପ୍ତାହ ତଳେ ସେମେଲ ପଦରରେ ଗୋଟିଏ, ଜାକମ ଠାରେ ଗୋଟିଏ ଟ୍ରାପ କ୍ୟାମେରା ଲାଗିଛି । କର୍ଲାପାଟ ଅଭୟାରଣ୍ୟ ପାଇଁ ମହଜୁଦ ଥିବା ୧୭ ଟି ଟ୍ରାପ କ୍ୟାମେରା ଖତଖାଇ ପଡ଼ିଛି । ଏହି ଟ୍ରାପ କ୍ୟାମେରା ନଥିବା ଯୋଗୁଁ ହାତୀ ମଡ଼କର ବହୁ ବିଳମ୍ବ ପରେ ବନ ବିଭାଗକୁ ଖବର ମିଳିଥିଲା ।