ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ! ୮ଟି ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ, ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ

35

କନକ ବ୍ୟୁରୋ : ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ । ଆଜି ସକାଳୁ ମାଲକାନଗିରିରେ ପ୍ରବଳ ବେଗରେ ବର୍ଷା ହେବା ସହ ପବନ ବୋହିଛି । ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଘର ବି କ୍ଷତିଗ୍ରସ୍ତ ହୋଇଛି । ଗଛ ପଡି ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଶିଶୁ ଥିବା ଜଣାପଡିଛି । ଗୋବିନ୍ଦପାଲ୍ଲୀରେ ଗଛପଡି ଜାତୀୟ ରାଜପଥ ଅବରୋଧ ହୋଇଯାଇଛି । ଜୟପୁର-ମାଲକାନଗିରି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ପାଣିପାଗ ବିଭାଗ ମଧ୍ୟ ଆସନ୍ତା ୨୪ ଘଂଟା ମଧ୍ୟରେ ନବରଙ୍ଗପୁର, ନୂଆପଡା. କୋରାପୁଟ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା ଓ ଗଜପତିରେ ବର୍ଷା ହେବା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ଚେତାବନୀ ଦେଇଛି । ଦିନ ୧୨ଟା ୪୫ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହୋବର ସମ୍ଭାବନା ରହିଛି । ଅନ୍ୟପଟେ କାଳବୈଶାଖୀ ବର୍ଷାରେ ଡଙ୍ଗା ବୁଡିଯିବାରୁ ବ୍ରହ୍ମଗିରିରେ ୪ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । କାଲି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ନିଖୋଜ ମତ୍ସ୍ୟଜୀବୀ କଣାସ ବ୍ଲକ କଉଡିଖୁଂଟି ଗାଁର ବୋଲି ଜଣାପଡିଛି । ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି ।