ମଙ୍ଗଳବାରରୁ ମଙ୍ଗଳା ମନ୍ଦିର ବନ୍ଦ ! ଭକ୍ତଙ୍କ ପାଇଁ ୪ ଦ୍ୱାର ବନ୍ଦ ଧମକ, ଜାଣନ୍ତୁ କାହିଁକି ?

69

କନକ ବ୍ୟୁରୋ : ଘନେଇଲା କାକଟପୁର ମଙ୍ଗଳା ମନ୍ଦିରରେ ଭକ୍ତଙ୍କୁ ସେବାୟତଙ୍କ ମାଡ ବିବାଦ । ପୁଲିସ ଓ ସେବାୟତଙ୍କ ଆଲୋଚନା ବିଫଳ ହେବା ପରେ ଧାରଣା ଜାରି ରଖିଲେ ସେବାୟତ । କହିଲେ, ପ୍ରତିବାଦ ଜାରି ରହିବା ସହ କାଲିଠୁ ଭକ୍ତଙ୍କ ପାଇଁ ମଙ୍ଗଳା ମନ୍ଦିରର ୪ ଦ୍ୱାର ବନ୍ଦ କରାଯିବ । ସେପଟେ ଭକ୍ତଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିବା ୩ ସେବାୟତଙ୍କୁ ଆଜି ଜାମିନ ପ୍ରଦାନ କରାଯାଇଛି ।

କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ମହିଳା ଭକ୍ତଙ୍କୁ ସେବାୟତଙ୍କ ମାଡ ଘଟଣାକୁ ନେଇ ଅଭିଯୋଗ ପରେ ସେବାୟତଙ୍କୁ ଗିରଫ କରାଯାଇଥିଲା । ଯାହାକୁ ମନ୍ଦିରର ସେବାୟତମାନେ ବିରୋଧ କରି ମନ୍ଦିର ସାମନାରେ ଧାରଣା ଦେଇଛନ୍ତି । ଗତକାଲି ମଙ୍ଗଳାଙ୍କ ଦର୍ଶନ ପାଇଁ ପୁରୀରୁ ୨ ଜଣ କନଷ୍ଟେବଳଙ୍କ ପରିବାର ଆସିଥିବା ବେଳେ ମନ୍ଦିର ଜଗମୋହନ ନିକଟରେ ସେବାୟତମାନେ ସେମାନଙ୍କ ଅଟକାଇ କେଉଁଠୁ ଆସିଛ ବୋଲି ବାରମ୍ବାର ପଚାରିଥିଲେ । ପରେ ଦକ୍ଷିଣା ମାଗିବା ବେଳେ ଉଭୟ ପକ୍ଷ ମଧ୍ୟରେ ଝମେଲା ହୋଇଥିଲା । କିିଛି ସେବାୟତ ମହିଳାଙ୍କୁ ଠେଲାପେଲା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ପୂରା ଘଟଣାର ଚିତ୍ର କଏଦ ହୋଇଛି ସିସିଟିଭିରେ ।

ଏହି ଘଟଣା ପରେ କନଷ୍ଟେବଳଙ୍କ ପରିବାର ପକ୍ଷରୁ କାକଟପୁର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରି ୩ ଜଣ ସେବାୟତଙ୍କୁ ଗିରଫ କରିଥିଲା । ତେବେ ଏହା ଏକପାଖିଆ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ଆଜି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ ନକରିବାକୁ ମା’ ମଙ୍ଗଳା ସେବକ ସମିତିର ବୈଠକରେ ସେବାୟତମାନେ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ନେଇଥିଲେ ।