କାବୁଲରେ ଅନ୍ଧାଧୁନ ଗୁଳି ଚାଳନାର ଭୟଙ୍କର ଦୃଶ୍ୟ : ଏୟାରପୋର୍ଟରେ ଭିଡ ଲଗାଇଥିବା ଲୋକଙ୍କୁ ଘୋଉଡାଇବା ପାଇଁ ଗୁଳି ମାରୁଛନ୍ତି ତାଲିବାନୀ

315

କନକ ବ୍ୟୁରୋ : ବର୍ବରତାର ସବୁ ସୀମା ଟପିଯାଇଛନ୍ତି ତାଲିବାନ ଆତଙ୍କବାଦୀ । ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବିଚଳିତ କରିଦେବ । ଏ ଦୃଶ୍ୟ କାବୁଲ ଏୟାରପୋର୍ଟର ବୋଲି ସୂଚନା । କିପରି ଲୋକଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କରୁଛନ୍ତି ତାଲିବାନୀ ଆତଙ୍କବାଦୀ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଏ ଭିଡିଓ ଗତ ୧୬ ତାରିଖର ବୋଲି କୁହାଯାଉଛି । ତାଲିବାନ କାବୁଲ କବଜା କରିବା ପରେ ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ଏୟାରପୋର୍ଟରେ ଏକାଠି ହୋଇଥିଲେ ଲୋକେ ।

ପିଲା ଛୁଆଙ୍କୁ ଧରି ବିମାନ ବନ୍ଦରରେ ପହଂଚିଥିଲେ । ଆଉ ଭିଡ ନିୟନ୍ତ୍ରଣ କରିବା ପାଇଁ ଆଖିବୁଜା ଗୁଳି ଚାଳନା କରିଥିଲେ ତାଲିବାନୀ । ନିଜ ଜୀବନ ବଂଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ଲୋକେ । ଯିଏ ଯେଉଁଠି ପାରୁଛି ଲୁଚି ଯାଉଛି । ଭିଡିଓରେ ଶୁଭୁଛି ମହିଳାଙ୍କ ଚିତ୍କାର । ଶୁଭୁଛି ଛୋଟ ପିଲାଙ୍କ କାନ୍ଦ । ପିଲାଙ୍କ ଜୀବନ ବଂଚାଇବା ପାଇଁ ଛାତିରେ ଜାବୁଡି ଧରିଛି ମାଆ । ଅଗଷ୍ଟ ୧୬ ତାରିଖ ଦିନ ବିମାନରେ ଯିବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନବନ୍ଦର ଭିତରେ ଯେତିକି, ବାହାରେ ତାଠାରୁ ଅଧିକ ଲୋକ ଏକାଠି ହୋଇଥିଲେ ।