ତେଲେଙ୍ଗାନା ସରକାରଙ୍କ ବଡ ଘୋଷଣା । ପ୍ରତି ଦଳିତ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ୧୦ ଲକ୍ଷ ଟଙ୍କାର ସହାୟତା ରାଶି

334

କନକ ବ୍ୟୁରୋ : ରାଜ୍ୟର ଦଳିତ ଲୋକମାନଙ୍କୁ ଆର୍ଥିକ ସହାୟତା ନେଇ ତେଲେଙ୍ଗାନା ସରକାର ବଡ ଘୋଷଣା କରିଛନ୍ତି । ଦଳିତ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ କେ.ସି.ଆର ସରକାର ପ୍ରତି ଦଳିତ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଡିପୋଜିଟ୍ କରିବା ନେଇ ଘୋଷଣା କରିଛନ୍ତି । କୁହାଯାଇଛି କି, ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୧,୯୦୦ ଲୋକଙ୍କୁ ଚିହ୍ନଟ କରାଯିବ ।

ସରକାର ପ୍ରସ୍ତୁତ କରିଥିବା ଯୋଜନା ମୁତାବକ ରାଜ୍ୟର ୧୧୯ ବିଧାନସଭା କ୍ଷେତ୍ର ମଧ୍ୟରୁ ପ୍ରତିଟି ବିଧାନସଭା କ୍ଷେତ୍ରରୁ ୧୦୦ ଟି ଲେଖାଏଁ ଦଳିତ ପରିବାରକୁ ଚିହ୍ନଟ କରାଯିବ । ପ୍ରତି ପରିବାରର ଜଣେ ଲୋକକୁ ଚିହ୍ନଟ କରାଯାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଜମା କରାଯିବ ।

କହିରଖୁ କି ତେଲେଙ୍ଗାନା ସରକାରଙ୍କ ‘ରାୟଥୁ ବନ୍ଧୁ’ ଯୋଜନା ଭଳି ଏହି ଯୋଜନାରେ ବି ଚିହ୍ନଟ ହୋଇଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ପଠାଯିବ । ରବିବାର ଦିନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏକ କାର୍ଯ୍ୟକ୍ରମରେ ଦଳିତ ଅଧିକାର ଉପରେ ଚର୍ଚ୍ଚା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ । ଦଳିତ ଲୋକମାନଙ୍କୁ ଆର୍ଥିକ ସ୍ତରରେ ମଜବୁତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଇଛି । ଏନେଇ ରାଜ୍ୟ କ୍ଷମତାରେ ଥିବା ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ଟିଆରଏସ୍ ଦାବି କରିଛି ଏହି ଯୋଜନା ମାଧ୍ୟମରେ ଦଳିତ ଲୋକମାନଙ୍କର ଆର୍ଥିକ ବିକାଶ ହୋଇପାରିବ ।