ପିତାଙ୍କ ପରି ମୋର ବି କ୍ଷମତା ଭୋକ ନାହିଁ : ଜ୍ୟୋତିରାଦିତ୍ୟ ସିନ୍ଧିଆ

305

କନକ ବ୍ୟୁରୋ : କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ନହେବା ନେଇ ତାଙ୍କର କୌଣସି କ୍ଷୋଭ ନାହିଁ । ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋ ପିତା ସ୍ବର୍ଗତ ମାଧବରାଓ ସିନ୍ଧିଆଙ୍କର କୌଣସି କ୍ଷମତା ଭୋକ ନଥିଲା କି ମୋର ମଧ୍ୟ ନାହିଁ । ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ମୁଁ ମୋର ଦାୟିତ୍ବ ସମ୍ପାଦନ କରିବି ଏବଂ ମୁଖ୍ୟମନ୍ତ୍ରୀ ହୋଇପାରିନଥିବାରୁ ସାମାନ୍ୟତମ କ୍ଷୋଭ ନାହିଁ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ହେବା ପାଇଁ କେବଳ ଦକ୍ଷତା ହିଁ ଏକମାତ୍ର ମାନଦଣ୍ଡ । ଏଥିରେ ବୟସ କିମ୍ବା ଅଭିଜ୍ଞତାର ବିଶେଷ ଭୂମିକା ନାହିଁ ବୋଲି ସିନ୍ଧିଆ କହିଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ସିନ୍ଧିଆ ଗ୍ରହଣ କରିଥିଲେ ମଧ୍ୟ ଏହା ତାଙ୍କ କ୍ଷୋଭର ପ୍ରତିଫଳନ ବୋଲି ଅନେକ ମତ ଦେଇଛନ୍ତି । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ମିଳିଛି କି ପ୍ରଶ୍ନ କରିବାରୁ ପ୍ରଶ୍ନକୁ ଏଡାଇ ଯାଇଥିଲେ । ଏନେଇ କୌଣସି ଉତ୍ତର ଦେବା ପାଇଁ ସେ ମନା କରିଦେଇଥିଲେ ।