ଅନଙ୍ଗ ଫେରାଇ ଆଣିବେ ଆସ୍ଥା? ଜାଣନ୍ତୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାକୁ ନେଇ ଦେଖାଦେଇଥିବା ଅବିଶ୍ୱାସକୁ ଦୂର କରିବା ଦିଗରେ କଣ ରହିଛି ଜଷ୍ଟିସ ପଟ୍ଟନାୟକଙ୍କ ଭୂମିକା

31

କନକ ବ୍ୟୁରୋ: ସିବିଆଇରେ ଦେଖା ଦେଇଥିବା ସଂକଟରେ ଏବେ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗତକାଲି ସିବିଆଇ ମାମଲାର ଶୁଣାଣି କରି ଜଷ୍ଟିସ ଏକେ ପଟ୍ଟନାୟକଙ୍କ ତତ୍ୱାବଧାନରେ ସିଭିସି ମାମଲାର ଯାଂଚ କରିବ ବୋଲି କହିଥିଲେ ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ନେଇ ଯେଉଁ ଅବିଶ୍ୱାସ ଦେଖା ଦେଇଛି, ତାକୁ ଦୂର କରିବା ଲାଗି ଜଷ୍ଟିସ ପଟ୍ଟନାୟକଙ୍କ ଭୂମିକାର ଗୁରୁତ୍ୱ ରହିଛି ।

୧୯୪୯ରେ ଜୁନ୍ ୩ରେ ଜନ୍ମିତ ଜଷ୍ଟିସ ପଟ୍ଟନାୟକ ତାଙ୍କ କ୍ୟାରିୟର ଓଡିଶାରୁ ଆରମ୍ଭ କରିଥିଲେ । ୧୯୭୪ରେ ସେ ଓଡିଶା ବାର ଆସୋସିଏସନର ସଦସ୍ୟ ହୋଇଥିବାବେଳେ ଏହାର ୨୦ ବର୍ଷ ପରେ ଅର୍ଥାତ ୧୯୯୪ରେ ଓଡିଶା ହାଇକୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ନିଯୁକ୍ତ ହୋଇଥିଲେ । ଏହାପରେ ଗୌହାଟି, ଛତିଶଗଡ ଓ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ବିଚାରପତି ଦାୟିତ୍ୱରେ ଥିଲେ । ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ଥିବା ସମୟରେ ଅନେକଥର ଚର୍ଚ୍ଚାକୁ ଆସିଛନ୍ତି ଜଷ୍ଟିସ ପଟ୍ଟନାୟକ । ୨୦୧୨ରେ ସୁପ୍ରିମକୋର୍ଟରେ ଟୁ-ଜୁ ସ୍ପେକ୍ଟ୍ରମ ମାମଲାର ଶୁଣାଣି କକୁଥିବା ଦୁଇ ଜଣିଆ ଖଣ୍ଡପୀଠରେ ଥିଲେ ଜଷ୍ଟିସ ପଟ୍ଟନାୟକ । ବିଚାରପତି ନିଯୁକ୍ତିରେ କଲେଜିଅମ ବ୍ୟବସ୍ଥା ଉପରେ ୨୦୧୬ରେ ଆପତି ଉଠାଇଥିଲେ ଜଷ୍ଟିସ ପଟ୍ଟନାୟକ ।

ଆଲୋକ ବର୍ମାଙ୍କ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ସିଭିସିକୁ କଣ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ?

– ଜାତୀୟ ସ୍ୱାର୍ଥ ସମ୍ବଳିତ ମାମଲା ହୋଇଥିବାରୁ ତୁରନ୍ତ ତଦନ୍ତ ଶେଷ କରି କୋର୍ଟଙ୍କୁ ଜଣାଇବାକୁ କହିଲେ ଖଣ୍ଡପୀଠ

– ଏପରିକିି ୧୦ ଦିନ ଭିତରେ ତଦନ୍ତର ପ୍ରାଥମିକ ରିପୋର୍ଟ କୋର୍ଟଙ୍କ ନିକଟରେ ଦାଖଲ କରିବେ ସିଭିସି

– ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରିବେ ସେଂଟ୍ରାଲ ଭିଜିଲାନ୍ସ କମିଶନ୍

– ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ. ପଟ୍ଟନାୟକ ଏହି ମାମଲାର ତଦାରଖ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ

– ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ କେବଳ ପ୍ରଶାସନିକ ମୁଖ୍ୟ ଭାବେ କାମ କରିବେ

– ମାମଲାର ତଦନ୍ତ ନସରିବା ଯାଏଁ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ

– କାହାରିକୁ ନିଯୁକ୍ତି କିମ୍ବା ବଦଳି କରିପାରିବେ ନାହିଁ ନୂଆ ନିର୍ଦ୍ଦେଶକ ନାଗେଶ୍ୱର ରାଓ

– ସେହିପରି ଏପର୍ଯ୍ୟନ୍ତ କେଉଁ ଅଧିକାରୀଙ୍କୁ ବଦଳି କରିଛନ୍ତି ସେ ବାବଦରେ ଜଣାଇବେ

– ନଭେମ୍ବର ୧୨ ତାରିଖ ସୁଦ୍ଧା ଏକ ବନ୍ଦ ଲଫାପାରେ ବଦଳି ବାବଦ ତଥ୍ୟ କୋର୍ଟଙ୍କୁ ଦେବେ