୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମାନା

956

କନକ ବ୍ୟୁରୋ : ୫ଜି ବନ୍ଦ କରିବା ନେଇ ଦିଲ୍ଲୀ ହାଇକୋର୍ଟରେ ଚଳଚିତ୍ର ଅଭିନେତ୍ରୀ ଜୁହି ଚାୱଲା କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହାସହ ଜୁହିଙ୍କ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ । ଏହି ଜରିମାନା ରାଶିକୁ ଗୋଟିଏ ସପ୍ତାହ ମଧ୍ୟରେ କୋର୍ଟରେ ଜମା କରିବାକୁ ଜୁହିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କୋର୍ଟ କହିଛନ୍ତି କି ସେକ୍ସନ ୮୧ ମୁତାବକ ଆବେଦନ ଦେବା ପୂର୍ବରୁ ନୋଟିସ କରିବା ଜରୁରୀ । ନଚେତ୍ ସେକ୍ସନ ୮୨ ମୁତାବକ ଏହାକୁ ଖାରଜ କରାଯିବ । କୋର୍ଟ କହିଛନ୍ତି କି ପବ୍ଲିସିଟି ହେବା ପାଇଁ ଏଭଳି ଅଭିଯୋଗ ଦାଖଲ କରାଯାଇଥିଲା  । ଏହାସହ କୋର୍ଟରେ ଶୁଣାଣି ବେଳେ କିଏ ଗୀତ ଗାଉଥିଲା ତାହାକୁ ଖୋଜି ତା ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉକି ଚଳଚିତ୍ର ଅଭିନେତ୍ରୀ ଜୁହି ଚାୱଲା ୫ଜି ଲାଇସେନ୍ସ ରଦ୍ଦ କରିବାକୁ କୋର୍ଟରେ ଆବେଦନ କରିଥିଲେ । ସେ ତାଙ୍କ ଆବେଦନପତ୍ରରେ ଲେଖିଥିଲେ କି, ଯଦି ଦେଶରେ ୫ ଜି ଲଂଚ୍ ହୋଇଯିବ ତେବେ କୌଣସି ବ୍ୟକ୍ତି, ପଶୁ, ପକ୍ଷୀ ଓ ବୃକ୍ଷଲତା ଏହାର ପ୍ରଭାବରୁ ବଞ୍ଚିପାରିବେ ନାହିଁ । ସେ କହିଥିଲେ କି ୫ ଜି ରୁ ନିର୍ଗତ ହେଉଥିବା ବିକିରଣର ପ୍ରଭାବ ମାନବ ସଭ୍ୟତା ଉପରେ ପଡିବ । ଯାହାକି ଅପରିବତ୍ତନୀୟ ।

ଜୁହିଙ୍କ ଓକିଲ ଦୀପକ ଖୋସଲାଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଅଭିଯୋଗରେ କୁହାଯାଇଥିଲା କି ଅଧିକାରୀମାନେ ସ୍ପଷ୍ଟ କରନ୍ତୁ କି ୫ ଜି ଲଂଚ ହେଲେ ତାହା ଦେଶର କୌଣସି ବର୍ଗର ଲୋକ, ବୃକ୍ଷଲତା ଓ ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପକାଇବ ନାହିଁ ।