ପିପିଲି ହତ୍ୟା ଘଟଣାରେ ଆଖିଦେଖା ବୟାନ : ପିଟିପିଟି ମାରିବାକୁ ନିର୍ଦେଶ ଦେଇଥିଲେ ଯୁଧିଷ୍ଠିର ସାମନ୍ତରାୟ

53

ପିପିଲି : ବ୍ରହ୍ମପୁରର ବାହୁବଳୀ ପରେ ଜେଲ୍ ଗଲେ ପିପିଲିର ପ୍ରବଳ ପ୍ରତାପୀ ଯୁଧିଷ୍ଠିର ସାମନ୍ତରାୟ । ସୁଶାନ୍ତ ମିଶ୍ର ହତ୍ୟା ମାମଲାରେ ୭ନମ୍ବର ଅଭିଯୁକ୍ତ ଭାବେ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗିରଫ କରିଛି ପୋଲିସ । ସେପଟେ କନକ ନ୍ୟୁଜ କ୍ୟାମେରା ଆଗରେ ମୃତ ସୁଶାନ୍ତଙ୍କ ମାଆ କହିଛନ୍ତି, ସେଦିନ କେମିତି ତାଙ୍କ ପୁଅକୁ ପିଟି ପିଟି ମାରିଦେବା ପାଇଁ ତାଂକ ଆଖି ଆଗରେ ନିର୍ଦେଶ ଦେଇଥିଲେ ଯୁଧିଷ୍ଠିର ସାମନ୍ତରାୟ ।

ତେବେ ଦୀର୍ଘ ୪ ମାସ ପରେ ପୁଲିସ ଜାଲରେ ପଡିଛନ୍ତି ପିପିଲିର ପ୍ରବଳ ପ୍ରତାପି – କଂଗ୍ରେସ୍ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ଗିରଫ ପରେ ନିମାପଡା ଜେଲ ପାଲଟିଛି ଏହି ଦୁର୍ଦ୍ଦାନ୍ତ ନେତାଙ୍କ ଠିକଣା । ଭାରତୀପୁର ପଂଚାୟତ ଜମ୍ବିଲା ଗାଁର ୱାର୍ଡ ମେମ୍ବର ସୁନୀତା ମିଶ୍ରଙ୍କ ସ୍ୱାମୀ ସୁଶାନ୍ତ ମିଶ୍ର ହତ୍ୟା ମାମଲାର ଗିରଫ ହୋଇଛନ୍ତି ଯୁଧିଷ୍ଠିର । ପୂର୍ବରୁ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା ବେଳେ ଘଟଣା ଦିନ ଠାରୁ ଫେରାର୍ ଥିବା ଯୁଧିଷ୍ଠିରଙ୍କୁ ଗତକାଲି ପୁଲିସ ଭୁବନେଶ୍ୱରରୁ ଗିରଫ କରିଛି ।

ସେପଟେ ଏହି ବାହୁବଳୀ ନେତାଙ୍କ ଗିରଫଦାରୀ ପରେ ସାରା ଅଂଚଳରେ ଚାପା ଉତେଜନା ଲାଗି ରହିଛି । ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ପିପିଲି ଥାନାରେ ପହଂଚିଛନ୍ତି ୫ ପ୍ଲାଟୁନ୍ ପୁଲିସ ଫୋର୍ସ ।

ଏବେ ପ୍ରଶ୍ନ ଉଠୁଛି ଯୁଧିଷ୍ଠିରଙ୍କ ଗିରଫଦାରୀ ପରେ କଣ ଶାନ୍ତ ପଡିବ କି ପିପିଲି ? କାରଣ ଦୁଇ ପାରମ୍ପାରିକ ଶତ୍ରୁ ଯୁଧିଷ୍ଠିର ସାମନ୍ତରାୟ ଓ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ନେଇ ଗଲା ତିନି ଦଶନ୍ଧି ଧରି ଏ ଅଂଚଳରେ ଲାଗି ରହିଛି ଅଶାନ୍ତିର ବାତାବରଣ ।