ମୂର୍ତ୍ତି ଉଚ୍ଚତା ବିବାଦ : କଟକରେ ବିଜେପିର ୧୨ ଘଂଟିଆ ବନ୍ଦ; ବର୍ଷାରେ ଭିଜି ବନ୍ଦ ପାଳନ କଲେ ବିଜେପି କର୍ମୀ

ମୂର୍ତ୍ତି ଉଚ୍ଚତାର ପୁର୍ନବିଚାର ପାଇଁ ୧୬ ଯାଏଁ ସମୟ ଦେଇଛି ଶାନ୍ତି କମିଟି ଓ ପୂଜା କମିଟି

134

କନକ ବ୍ୟୁରୋ : ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ସହରରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ପାର୍ବଣରେ ୪ ଫୁଟିଆ ମୂର୍ତ୍ତି ଉଚ୍ଚତା ରଖିବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ଉପରେ କଟକରେ ବିରୋଧ ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରି ଆଜି କଟକ ନଗର ବିଜେପି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

ଗତକାଲି ରେଲୱେ ଅଟୋ ଆସୋସିଏସନ ପକ୍ଷରୁ ଅଟୋ ଚଳାଚଳ ବନ୍ଦ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଆଜି ସକାଳୁ ବାଦାମବାଡ଼ି ଠାରେ ବସ୍ ଅଟକାଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ କହିଛନ୍ତି ଯେ ଜନତାଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି । ଆମ୍ବୁଲାନ୍ସ ଓ ଅନ୍ୟ ସମସ୍ତ ଜରୁରୀ ସେବା ଅବ୍ୟାହତ ରହିଛି । ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ମା’ଙ୍କ ଦର୍ଶନ ପାଇଁ ସମସ୍ତଙ୍କୁ ଅନୁମତି ପାଇଁ ଦାବି କରାଯାଉଥିବା ଶ୍ରୀ ବଡ଼ୁ କହିଛନ୍ତି ।

ଏଣେ ଲଗାଣ ବର୍ଷା ଯୋଗୁଁ କଟକ ସହର ଜଳମଗ୍ନ ହୋଇଯାଇଛି। ଦୁଇଦିନ ହେବ ଲଘୁଚାପ ଯୋଗୁଁ ବର୍ଷା ଜାରି ରହିଥିବାବେଳେ କଟକ ସହରର ଅଧିକାଂଶ ଅଞ୍ଚଳ ଏବେ ପାଣି ଘେରରେ । ସହରର ପ୍ରମୁଖ ଅଞ୍ଚଳ ବାଦାମବାଡ଼ି ଠାରେ ବର୍ଷା ଯୋଗୁଁ ପାଣି ଜମି ଯାତାୟତ ଏକ ପ୍ରକାରର ଠପ୍ ହୋଇଛି । ସେହିଭଳି ସହରର ଅନ୍ୟ ଅଞ୍ଚଳମାନଙ୍କରେ ଘରେ ପଶିଛି ପାଣି । ଏହାଫଳରେ ସହରବାସୀ ଭୟଭୀତ ହୋଇ ରହିଥିବାବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି ।