ହାଇକୋର୍ଟଙ୍କ ପାଖରେ ରହିଛି ଶକ୍ତି, ଆପଣ ସେଠାରେ କରନ୍ତୁ ଆବେଦନ… ଯୋଶୀମଠ ପ୍ରସଙ୍ଗରେ ଏଭଳି କାହିଁକି କହିଲେ ସୁପ୍ରିମକୋର୍ଟ ।

132

କନକ ବ୍ୟୁରୋ: ଉତ୍ତରାଖଣ୍ଡର ଯୋଶୀମଠରେ ମାଟି ଧସିବା କାରଣରୁ ଅନେକ ସ୍ଥାନରେ ଘରଗୁଡିକରେ ଫାଟ ଦେଖାଯାଇଛି । ଏହି ବିପତ୍ତିକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ସୋମବାର କୋର୍ଟ ଏହା ଉପରେ ଶୁଣାଣି କରି କହିଛନ୍ତି ଯେ, ଏହିଭଳି ମାମଲା ପୂର୍ବରୁ ହାଇକୋର୍ଟରେ ଜାରିରହିଛି ତେବେ ଦେଖିବାକୁ ପଡିବ ଶୁଣାଣି ହେବା ଜରୁରୀ ନା ନୁହେଁ । ଏହିଭଳି ଟିପ୍ପଣୀ କରିବା ସହ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ସେ ହାଇକୋର୍ଟକୁ ଯାଆନ୍ତୁ, ସେଠାରୁ ହିଁ ତାଙ୍କୁ ଆଶ୍ୱସ୍ତି ମିଳିପାରିବ ।

ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଥିଲେ । ତେବେ କୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ଏନେଇ ତଲବ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହିଭଳି ଆବେଦନ ନୈନିତାଲ ହାଇକୋର୍ଟରେ ହୋଇଛି । ସେହିଭଳି ଦିଲ୍ଲୀ ହାଇକୋର୍ଟରେ ଏହିଭଳି ମାମଲା ରୁଜୁ ହୋଇଛି । ରାଜ୍ୟ ସରକାର କହିଛନ୍ତି ଏହି ବିପତ୍ତି ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପୂରା ନଜର ରଖିଛନ୍ତି ।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଉତ୍ତରାଖଣ୍ଡ ହାଇକୋର୍ଟରେ ପୂର୍ବରୁ ଏ ସଂକ୍ରାନ୍ତୀୟ ମାମଲାରେ ଶୁଣାଣି ହେଉଛି । ତେଣୁ ଦେଖିବାକୁ ପଡିବ ସେଠାରେ ଏହାକୁ ନେଇ କଣ ରାୟ ସାମ୍ନାକୁ ଆସୁଛି । ସୁପିମକୋର୍ଟ ଏହା ମଧ୍ୟ ଟିପ୍ପଣୀ କରିଛନ୍ତି ଯେ ଆବେଦନକାରୀ ଏନେଇ ହାଇକୋର୍ଟରେ ଆବେଦନ କରନ୍ତୁ । ହାଇକୋର୍ଟ ପାଖରେ ଏହି ମାମଲାରେ ଆଶ୍ୱସ୍ତି ଦେବାର ଅଧିକାର ରହିଛି ।