ସିଙ୍ଗଲ ଡୋଜ ଟିକାର ମଂଜୁରୀ ପାଇଁ ଆବେଦନ କଲା ଜନସନ ଆଣ୍ଡ ଜନସନ । ସେପଟେ ସିରମ କହିଲା, ୨୦୨୨ମାର୍ଚ୍ଚ ସୁଦ୍ଧା ପିଲାଙ୍କ ପାଇଁ ଆସିବ କୋଭିଡ ଟିକା

76

କନକ ବ୍ୟୁରୋ: ଆମେରିକାର କରୋନା ନିରୋଧି ଟିକା ଜନସନ୍ ଆଣ୍ଡ ଜନସନ୍କୁ ମିଳିଲା ଭାରତ ସରକାରଙ୍କ ଗ୍ରୀନ ସିଗନାଲ୍ । ଏଣିକି ଜନସନ ଆଣ୍ଡ ଜନସନ କମ୍ପାନୀର ସିଙ୍ଗଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର କରାଯାଇ ପାରିବ । ଦୁଇ ଦିନ ତଳେ ଜନସନ୍ କରୋନା ଟିକାକୁ ଭାରତରେ ଜରୁରୀକାଳୀନ ଭାବେ ବ୍ୟବହାର ପାଇଁ ସରକରାଙ୍କ ଅନୁମତି ମାଗିଥିଲା ଆଉ ଶନିବାର ଏହାକୁ ମଂଜୁରୀ ଦେଇଛନ୍ତି କେନ୍ଦ୍ର ସରକାର ।

ଜନସନ ଆଣ୍ଡ ଜନସନ କମ୍ପାନୀର ସିଙ୍ଗଲ ଡୋଜ ଟିକାକୁ ଭାରତରେ ମଂଜୁରୀ ମିଳିଛି । ଆମେରିକାର ୧୩୪ବର୍ଷ ପୁରୁଣା ଏହି ଫାର୍ମା କମ୍ପାନୀ ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା ନିକଟରେ କରିଥିବା ଆବେଦନକୁ ମଂଜୁରୀ ମିଳିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ପୂର୍ବରୁ କମ୍ପାନୀ ଏହାର ସିଙ୍ଗଲ ଡୋଜ ଟିକାର ଟ୍ରାଏଲ ପାଇଁ ଅନୁମତି ମାଗିଥିଲା । ହେଲେ ପ୍ରତିଷ୍ଠିତ କମ୍ପାନୀ ବିନା ପରୀକ୍ଷଣରେ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିପାରିବେ ବୋଲି କେନ୍ଦ୍ର କହିଥିଲା । ଏହାପରେ ଜନସନ ଟିକାର ଜରୁରୀ ବ୍ୟବହାର ପାଇଁ ସିଧାସଳକ କରିଥିବା ଆବେଦନକୁ ମଂଜୁରୀ ମିଳିଛି ।

ଟିକା ଉତ୍ପାଦକ ବାୟୋଲୋଜିକାଲ–ଇ ଲିମିଟେଡର ସହଯୋଗରେ ଜନସନ ଏହି ଟିକାକୁ ବଜାରକୁ ଛାଡିବ । ଭାରତରେ ଏହି ଟିକାର ବ୍ୟବହାରକୁ ଅନୁମତି ମିଳିବା ପରେ ମଡେନା ପରେ ଜନସନ ହୋଇଛି ଦ୍ୱିତୀୟ ଆମେରିକୀୟ ଟିକା । ଆମେରିକା, ବ୍ରିଟେନ ବ୍ୟତୀତ ଅନେକ ଦେଶରେ ଏହି ଟିକାର ବ୍ୟବହାର କରାଯାଉଛି । ମେ ମାସର ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଦଫାରେ ବ୍ରିଟେନ ସରକାର ଜନସନ ଆଣ୍ଡ ଜନସନ୍ ସିଙ୍ଗଲ ଡୋଜ୍ ଟିକାର ୨୦ ମିଲିଅନ୍ ଡୋଜ୍ ମଗାଇଥିଲା । କରୋନା ବିରୋଧରେ ଏହି ଟିକା ୮୫ପ୍ରତିଶ୍ତରୁ ଅଧିକ ଫଳପ୍ରଦ ହେବା କମ୍ପାନୀ ଦାବି କରୁଛି । ତେଣୁ ସିଙ୍ଗଲ ଡୋଜ୍ କରୋନା ଟିକା ଗେମ୍ ଚେଂଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

– ଜନ୍ସନ୍ ଆଣ୍ଡ ଜନ୍ସନ୍ ଟିକା ଅନ୍ୟ ଟିକା ଭଳି ଅତ୍ୟନ୍ତ କମ୍ ତାପମାତ୍ରାରେ ରଖିବାର ଆବଶ୍ୟକତା ନାହିଁ
– ଏହାର ବ୍ୟବହାର କେବଳ ସିଙ୍ଗଲ ଡୋଜ୍

ବର୍ତମାନ ଭାରତ ପାଖରେ ବର୍ତମାନ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ୍-ଭି, ମାର୍ଡର୍ଣ୍ଣା ଟିକା ରହିଛି । ଆଉ ଜନ୍ସନ୍ ଆଣ୍ଡ ଜନସନ୍ ଟିକା ଆସିଲେ ଦେଶରେ ଟୀକାକରଣ ଆହୁରି ତ୍ୱରାନିତ ହେବ ବୋଲି ଆଶା କରାଯାଉଛି । କାରଣ ଏହି ଟିକା କେବଳ ସିଙ୍ଗଲ ଡୋଜ୍ ହିଁ ନେବାକୁ ପଡିବ ।