ଆଜିଠାରୁ ଆମେରିକା ଶାସନରେ ହେବ ପଟ୍ଟ ପରିବର୍ତ୍ତନ : ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ନୂଆ ସରକାରରେ କେମିତି ହେବ ଭାରତ-ଆମେରିକା ସଂପର୍କ, ତା ଉପରେ ରହିବ ନଜର

81

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତ୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍ । ସେହିପରି ଭାରତୀୟ ବଂଶୋଦ୍ଭବ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ବିଶ୍ୱ ମହାମାରୀ କରୋନା ଏବଂ କ୍ୟାପିଟାଲ୍ ହିଲ ହିଂସାକାଣ୍ଡ ପରେ ଏହି ଶପଥ ସମାରୋହ ଭିନ୍ନ ହେବାକୁ ଯାଉଛି ।

ଜାନୁଆରୀ ୬ରେ ଆମେରିକା ସଂସଦ ଭବନ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ ରାଜଧାନୀ ୱାସିଂଟନ ଡିସିରେ ୨୫ ହଜାର ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି । ଆମେରିକା ଗୁଇନ୍ଦା ସଂସ୍ଥା ଏଫବିଆଇକୁ ମିଳିଥିବା ସୂଚନା ଅନୁଯାୟୀ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ, ୱାସିଂଟନ ସମେତ ୫୦ଟି ରାଜ୍ୟର ରାଜଧାନୀରେ ହଙ୍ଗାମା କରିପାରନ୍ତି । ସେଥିପାଇଁ ହ୍ୱାଇଟ ହାଉସକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।

କରୋନା କାଳରେ ହେଉଥିବା ଏହି ଶପଥ ସମାରୋହରେ ଭିଆଇପିଙ୍କ ସହ କ୍ୟାବିନେଟ୍ ସଦସ୍ୟ, ସାଂସଦ ଏବଂ ଆମେରିକା ସୁପ୍ରିମକୋର୍ଟର ବିଚାରପତି ସାମିଲ ହେବେ । ଡୋନାଲ୍ଡ ଟ୍ରମ୍ପ ଏହି ଶପଥ ସମାରୋହରେ ସାମିଲ ହେବାକୁ ପୂର୍ବରୁ ମନା କରିସାରିଛନ୍ତି । ୧୮୬୯ ପରେ ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା, ଯେତେବେଳେ ବିଦାୟୀ ରାଷ୍ଟ୍ରପତିଙ୍କ ବିନା ଉପସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର କରାଯିବ ।

କେତେବେଳେ କ’ଣ?

 ପୂର୍ବାହ୍ନ ୧୦ଟା (ଭାରତୀୟ ସମୟ ରାତି ପ୍ରାୟ ୮ଟା୩୦)- ପିଆଇସି (ପ୍ରେସିଡେନ୍‌ସିଆଲ ଇନାଗୁରାଲ୍‌ କମିଟି)ର ଲାଇଭ୍‌ଷ୍ଟ୍ରିମ୍‌
- ପୂର୍ବାହ୍ନ ୧୧.୩୦ (ଭାରତୀୟ ସମୟ ରାତି ପ୍ରାୟ ୧୦ଟା)-ଜାତୀୟ ସଂଗୀତ ସହ ଶପଥଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ
 ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ସୋନିଆ ସୋଟ‌ମେୟର
 ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶପଥ ପାଠ କରାଇବେ ପ୍ରଧାନ ବିଚାରପତି ଜନ୍‌ ରବର୍ଟ‌୍ସ
- ଶପଥ ଗ୍ରହଣ ପରେ ବାଇଡେନଙ୍କ ଉଦ‌ଘାଟନୀ ଉଦବୋଧନ