ଦିନ ମଜୁରିଆରୁ ଦିଲ୍ଲୀ ଦଖଲ ସ୍ୱପ୍ନ? ଜେଏନୟୁରେ ଜିତି ସଭାପତି ହେବେ କି ଓଡ଼ିଆ ପୁଅ?

1,945

କନକ ବ୍ୟୁରୋ : ଚାଷ ପଡିଆରୁ ପୋଡିୟମ ଉପରକୁ ଯାତ୍ରା । ପୂରା ଦେଶର ଛାତ୍ରଛାତ୍ରୀ ଶୁଣୁଛନ୍ତି ପଲ୍ଲୀ ପୁଅର କଥା । ଯାହାଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା । ଏହି ନାଁ ରାଜ୍ୟବାସୀଙ୍କ ପାଇଁ ଅଜଣା, ଅଚିହ୍ନା ନିଶ୍ଚୟ । କିନ୍ତୁ ଦିଲ୍ଲୀର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଜେଏନୟୁ ଏବେ ଜିତେନ୍ଦ୍ର ଜିନ୍ଦାବାଦ ନାରାରେ ଫାଟୁଛି । କାରଣ ଓଡ଼ିଆ ପୁଅ ଏବେ ଦିଲ୍ଲୀରେ ଲଢୁଛି । ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ଜିତେନ୍ଦ୍ର । ଛାତ୍ର ସଙ୍ଗଠନ ବାପସାରୁ ସଭାପତି ପ୍ରାର୍ଥୀ ହୋଇଛନ୍ତି ଜିତେନ୍ଦ୍ର । ତେବେ ପଲ୍ଲୀରୁ ଜିତେନ୍ଦ୍ରଙ୍କ ଦିଲ୍ଲୀ ଯାତ୍ରା ପଛରେ ରହିଛି ଅନେକ ସଂଘର୍ଷମୟ କାହାଣୀ ।

ଧାନ ବିଲରେ ଧାନ କାଟୁଥିବା ଏହି ଯୁବକ ହୁଏତ ଅନେକଙ୍କ ପାଇଁ ଏକ ଅପରିଚିତ ଚେହେରା । କିନ୍ତୁ ଧାନ ବିଲରେ କାମ କରୁଥିବା ଏହି ଯୁବକ ଯେ, ଦିନେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିବ ତାହା ହୁଏତ କେବେ କେହି କଳ୍ପନା କରିନଥିଲେ । କଳାହାଣ୍ଡିର ଏକ ପଛୁଆ ଅଞ୍ଚଳ ପୁରୁକେଲା ଗାଁର ଜିତେନ୍ଦ୍ର ସୁନା । କିଛି ବର୍ଷ ପୂର୍ବେ ଦଳିତ ପରିବାରର ଏହି ଯୁବକଙ୍କ ପରିଚୟ ଥିଲା ଦିନ ମଜୁରିଆ । କାମ କଲେ ପେଟକୁ ଦାନା ଯାଉଥିଲା । କେତେବେଳେ ଧାନ ବିଲରେ ତ ପୁଣି କେତେବେଳେ ପୋଖରୀ ଖୋଳା କିମ୍ବା ରାସ୍ତା କାମରେ ଦିନ ମଜୁରିଆ ଭାବେ କାମ କରୁଥିଲେ ଜିତେନ୍ଦ୍ର ।

ଗରିବ ପରିବାରରେ ଜନ୍ମ ନେଇଥିବା ଜିତେନ୍ଦ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ମା’ଙ୍କୁ ହରାଇଥିଲେ । ବାପା ପର ବିଲରେ ମୂଲ ଲାଗିଲେ ଘରେ ଚୂଲି ଜଳୁଥିଲା ।  ଆର୍ଥିକ ଅନାଟନ ଭିତରେ ଯୁକ୍ତ ଦୁଇ ପଢା ସରିବା ପରେ ପରିବାରର ବୋଝ ନିଜ ମୁଣ୍ଡ ଉପରକୁ ନେଇଥିଲେ ଜିତେନ୍ଦ୍ର । ରୋଜଗାର ପାଇଁ ୨୦୦୯ରେ ଦିଲ୍ଲୀ ଚାଲି ଆସିଥିଲେ । ଆଉ ଏକ ଗ୍ୟାସ୍ ଏଜେନ୍ସିରେ କାମ କରିବା ଆରମ୍ଭ କରିଥିଲେ । ତେବେ ମାସକୁ ମାତ୍ର ୩୫୦୦ ଟଙ୍କାରେ ଦିଲ୍ଲୀ ଭଳି ସହରରେ ବଞ୍ଚିବା ସହଜ ନ ହେବାରୁ ପୁଣି ଥରେ ଗାଁକୁ ଫେରିଥିଲେ ଜିତେନ୍ଦ୍ର । ଗାଁକୁ ଫେରି ପୁଣିଥରେ ପଢିବାକୁ ନିଷ୍ପତି ନେବା ସହ ଗ୍ରାଜୁଏସନ ଶେଷ କରିଥିଲେ ।

୨୦୧୨ରେ ଜଣେ ସାଙ୍ଗର ପରାମର୍ଶକ୍ରମେ ଜେଏନୟୁରେ ନାମ ଲେଖାଇବା ପାଇଁ ଏଣ୍ଟ୍ରାନ୍ସ ଦେଇଥିଲେ ଜିତେନ୍ଦ୍ର । ହେଲେ ଏଥିରେ ସଫଳ ହୋଇନଥିଲେ । ତେବେ ୨୦୧୩ରେ ଦ୍ୱିତୀୟ ପ୍ରୟାସରେ ଜେଏନୟୁରେ ନାମ ଲେଖାଇବାରେ ସଫଳ ହୋଇଥିଲେ ଜିତେନ୍ଦ୍ର । ଆଉ ଏହିଠାରୁ ଦିଲ୍ଲୀରେ ଆରମ୍ଭ ହୋଇଥିଲା ଜିତେନ୍ଦ୍ରଙ୍କ ଲଢେଇ ।

୨୦୦୯ରୁ ୨୦୧୯ । ସମୟ ବଦଳିଛି, ସମୟ ସହ ତାଳ ଦେଇ ବଦଳିଛି ଜିତେନ୍ଦ୍ରଙ୍କ ଭାଗ୍ୟ । ୨୦୦୯ରେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ଯୁବକ ୨୦୧୯ରେ ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପ୍ରାର୍ଥୀ ହୋଇଛନ୍ତି । ବାପସାରୁ ପ୍ରାର୍ଥୀ ହୋଇଥିବା ଜିତେନ୍ଦ୍ର କହିଛନ୍ତି, ଜେଏନୟୁ ପୂର୍ବରୁ ବାମଗଡ ରହିଥିଲା । କିନ୍ତୁ ଏଥର ଜେଏନୟୁରେ ନୂଆ ଇତିହାସ ଲେଖାହେବ, ବାପସାର ବିଜୟ ବାନା ଉଡିବ ।