ଜମ୍ମୁକଶ୍ମୀରରେ ଆରୋପ-ପ୍ରତ୍ୟାରୋପର ପର୍ବ ! ପିଡିପି-ଏନସି ମେଂଟ ପଛରେ ପାକ୍ ଲିଙ୍କ ନେଇ ଟ୍ୱିଟ୍ କଲେ ବିଜେପି ନେତା ରାମ ମାଧବ ।

86

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ବିଭିନ୍ନ ରାଜନୈତିକ ଦଳଙ୍କ ସରକାର ଗଠନ ଉଦ୍ୟମରେ ଭଟ୍ଟା ପଡିଛି । ରାଜ୍ୟପାଳଙ୍କ ନିଷ୍ପତି ବିବାଦୀୟ ଓ ବିଜେପି ନିର୍ଦ୍ଦେଶରେ ହୋଇଥିବା ପିଡିପି ଓ ନେସନାଲ କନଫରେନ୍ସ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ଆରୋପ ପ୍ରତ୍ୟାରୋପ । ସରକାର ଗଠନ ପାଇଁ ପିଡିପି ଓ ଏନସିର ମେଂଟ ପଛରେ ପାକିସ୍ତାନ ଲିଙ୍କ ନେଇ ରାମମାଧବ ଟ୍ୱିଟ୍ କରିବା ପରେ ଆରମ୍ଭ ହୋଇଯାଇଥିଲା ଟ୍ୱିଟ୍ ୱାର ।

ବିଧାନସଭା ଭଙ୍ଗ ପରେ ଜାମ୍ୁ-କାଶ୍ମୀର ତୃତୀୟ ସାମ୍ମୁଖ୍ୟ ସରକାର ଗଠନ ଆଶା ମଉଳିଛି । ତେବେ ଆଗାମୀ ଲୋକସଭା ନିର୍ବାଚନ ସହ ଜାମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ହୋଇପାରେ । ଏନେଇ କେନ୍ଦ୍ର ସରକାର ବିଚାର କରୁଥିବା ଚର୍ଚା ବି ଚାଲିଛି । ଗତକାଲି ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଅନ୍ୟପଟେ କାଲି ରାଜଭବନକୁ ସରକାର ଗଠନ ଦାବି କରି ମେହେବୁବା ଫ୍ୟାକ୍ସ କରିଥିଲେ । ଫ୍ୟାକ୍ସ ଫେଲ୍ ହୋଇଥିବା ବେଳେ ଫୋନ କେହି ଉଠାଇନଥିବା କହିଛନ୍ତି ପିଡିପି ମୁଖ୍ୟ । ଫ୍ୟାକ୍ସ କରିବାର ୪୧ ମିନିଟ୍ ପରେ ବିଧାନସଭା ଭଙ୍ଗ ଘୋଷଣା ରହସ୍ୟଜନକ ବୋଲି ସେ କହିଛନ୍ତି । ଆଉ ଜବାବରେ ରାଜ୍ୟପାଳ କହିଛନ୍ତି ମେହେବୁବାଙ୍କୁ ଫୋନ କିମ୍ବା ଫ୍ୟାକ୍ସ ପାଇଥିଲେ ବି ନିଷ୍ପତି ବଦଳି ନଥାନ୍ତା ।

ତେଜିଲା ଆରୋପ ପ୍ରତ୍ୟାରୋପ ରାଜନୀତି । ପାକ ଲିଙ୍କ୍ ଅଭିଯୋଗକୁ ନେଇ ହଙ୍ଗାମା । ଜମ୍ମୁକଶ୍ମୀରରେ ସରକାର ଗଠନ ଉଦ୍ୟମର ଛକାପଂଝାରେ ଭଟ୍ଟା ପଡିଛି । ହେଲେ ସରକାର ଗଠନ ଦାବି, ଘୋଡା ବେପାର ଅଭିଯୋଗ ଓ ବିଧାନସଭା ଭଙ୍ଗ ନିଷ୍ପତି ଆଦି ପ୍ରସଙ୍ଗରେ ଆରୋପ ପ୍ରତ୍ୟାରୋପର ରାଜନୀତି ଜୋର ଧରିଛି । ବିଜେପି ନେତା ରାମ ମାଧବ ପିଡିପି-ଏନସିକୁ ନେଇ ବଡ ବୟାନ ଦେଇଥିଲେ । ଟ୍ୱିଟ୍ କରି ସେ ଲେଖିଥିଲେ ଏନସି ଓ ପିଡିପିକୁ ସରକାର ଗଠନ କରିବା ପାଇଁ ସୀମା ପାରିରୁ ନିର୍ଦ୍ଦେଶ ମିଳିଛି । ରାମମାଧବଙ୍କ ଏହି ମନ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ କରି ଚାଲେଞ୍ଜ ଦେଇଥିଲେ ଏନସି ମୁଖ୍ୟ ଓମର ଅବଦୁଲ୍ଲା ।  ଅଭିଯୋଗକୁ ସାବ୍ୟସ୍ତ କରନ୍ତୁ ନଚେତ ରାମମାଧବ କ୍ଷମା ମାଗନ୍ତୁ ବୋଲି ଓମର ଅବଦୁଲ୍ଲା କହିଥିଲେ । ତେବେ ଓମାରଙ୍କ ବିରୋଧ ପରେ ରାମ ମାଧବ ନିଜ ବୟାନରୁ ଓହରିଥିବା କହିଛନ୍ତି ।

ଡିସେମ୍ବର ୧୯ରେ ରାଜ୍ୟପାଳ ଶାସନର ଅବଧି ସରୁଥିବାରୁ ଏହା ପୂର୍ବରୁ ରାଜ୍ୟରେ ମେଂଟ ସରକାର ଗଠନ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିଲା । ପୂର୍ବରୁ ବିଧାନସଭା ଭଙ୍ଗ ଦାବି କରିଆସୁଥିବା ପିଡିପି ଓ ଏନସି ଏକଜୁଟ ହୋଇ ସାଥିରେ କଂଗ୍ରେସକୁ ଧରି ସରକାର ଗଠନ ଦୌଡରେ ସାମିଲ ହୋଇଥିଲେ । ଅନ୍ୟପଟେ ପିଡିପିର କିଛି ବିଦ୍ରୋହୀ ବିଧାୟକଙ୍କୁ ନେଇ ବିଜେପି ବି ସରକାର ଗଠନ ଦାବି କରିବାକୁ ପ୍ରସ୍ତୁତ ହେଉଥିଲା । ହେଲେ ରାଜ୍ୟପାଳଙ୍କ ବିଧାନସଭା ଘୋଷଣା ସବୁ ରାଜନୈତିକ ଦଳଙ୍କ ମେଂଟ ସରକାର ଗଠନ ଉଦ୍ୟମକୁ ଭଣ୍ଡୁର କରି ଦେଇଛି ।