ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଆହତ ଯୋଗୁଁ ଦଳରୁ ବାଦ ପଡିଲେ ରିଚାର୍ଡସନ୍ ।

134

କନକ ବ୍ୟୁରୋ : ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୧୯ ବିଶ୍ୱକପ । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଦିନିକିଆ ବିଶ୍ୱକପ୍ ନିକଟତର ହୋଇଥିବାରୁ ଏଥିରେ ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକ ନିଜର ଜାତୀୟ ଟିମ୍ ଘୋଷଣା କରିସାରିଛନ୍ତି । ଏବେ ବିଶ୍ୱର ଶକ୍ତିଶାଳୀ ଟିମର ଖେଳାଳି ଆହତ ହୋଇଥିବା ଗଣମାଧ୍ୟମରୁ ଜଣାପଡ଼ିଛି, ଯେଉଁଥି ପାଇଁ ତାଙ୍କୁ ଟିମରେ ସ୍ଥାନ ମିଳିବ ନାହିଁ । ଆଘାତ ଯୋଗୁଁ ଟିମରୁ ବାଦ୍ ପଡ଼ିଥିବା ଖେଳାଳି ଜଣକ ହେଉଛନ୍ତି ବୋଲର ଜଏ ରିଚାର୍ଡସନ୍ ।

ରିଚାର୍ଡସନ୍‌ଙ୍କୁ ମାର୍ଚ୍ଚରେ ସାରଜାରେ ପାକିସ୍ତାନ ବିରୋଧରେ ହୋଇଥିବା ଶୃଙ୍ଖଳାର ୨ୟ ଦିନିକିଆ ମ୍ୟାଚ୍‌ରେ ଆଘାତ ଲାଗିଥିଲା, ଯେଉଁଥିରୁ ସେ ଏବେ ଯାଏଁ ଠିକ୍‌ ହୋଇପାରି ନାହାନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର କହିଛି, କେନ୍‌ ରିଚାର୍ଡସନ୍‌ଙ୍କୁ ଜଏ ରିଚାର୍ଡସନ୍‌ଙ୍କ ସ୍ଥାନରେ ଟିମ୍‌ରେ ସାମିଲ କରାଯାଇଛି। ଜଏ ଭାରତ ବିପକ୍ଷରେ ୫ ଦିନିକିଆ ଶୃଙ୍ଖଳାରେ ଭଲ ବୋଲିଂ କରି ମୋଟ ୭ ଓ୍ଵିକେଟ ନେଇଥିଲେ। ସେ ଏଯାଏଁ ୧୨ଟି ଦିନିକିଆ ମ୍ୟାଚ୍‌ ଖେଳି ୨୬ଟି ଓ୍ଵିକେଟ୍‌ ନେଇଛନ୍ତି ।