ବଦଳିଲା ଝାରସୁଗୁଡା ରାଜନୀତି ! ଗୋଟିଏ ଫ୍ରେମରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ନବ ଦାସ ଓ କିଶୋର ମହାନ୍ତି

ନବୀନଙ୍କ ଗସ୍ତ ପୂର୍ବରୁ ମନମାଳିନ୍ୟ ଦୂର କରିବା ପାଇଁ ସଂଜୟ ଓ ପ୍ରଣବଙ୍କ ଆଲୋଚନା ପରେ ଦୁଇ ନେତା ହେଲେ ଏକାଠି

184

କନକ ବ୍ୟୁରୋ : ଏକାଠି ନଜର ଆସିଲେ ଝାରସୁଗୁଡାର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ । ବର୍ଷ ବର୍ଷ ଧରି ରାଜନୈତିକ ମଇଦାନରେ ପ୍ରତିଦ୍ୱନ୍ଦୀ ଥିବା ନବ ଦାସ ଓ କିଶୋର ମହାନ୍ତି ଏବେ ଲାଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମାବେଶକୁ ସଫଳ କରିବା ପାଇଁ । ଗତକାଲି ନବ ଦାସ ଓ କିଶୋର ମହାନ୍ତିଙ୍କ ସହ ଦଳୀୟ ନେତା, ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ, ଅସନ୍ତୋଷ ହଟିଛି ଏବଂ ବାହାରିଛି ସମାଧାନର ବାଟ ।

ଗୋଟିଏ ଫ୍ରେମରେ ଝାରସୁଗୁଡ଼ାର ଦୁଇ ପ୍ରତିଦ୍ୱନ୍ଦୀ ନେତା ନବ ଦାସ ଓ କିଶୋର ମହାନ୍ତି । ବର୍ଷ ବର୍ଷ ଧରି ରାଜନୈତିକ ମଇଦାନରେ ତୀବ୍ର ପ୍ରତିଦ୍ୱନ୍ଦୀ ଭାବେ ଜଣାଣୁଣା ଦୁଇ ନେତାଙ୍କୁ ଦେଖିବାକୁ ମିଳିଥିଲା ଏକାଠି । ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡା ଗସ୍ତ ପୂର୍ବରୁ ଆଜି ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଆମ୍ଲାପାଲୀରେ ହେବାକୁ ଥିବା ନବୀନଙ୍କ ସମାବେଶକୁ ସଫଳ କରିବା ପାଇଁ ଏବେ ଅଂଟା ଭିଡିଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ।

କଂଗ୍ରେସରୁ ଇସ୍ତଫା ଦେବା ପରେ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ବେଳେ ବିଜେଡିରେ ନବ ଦାସ ଯୋଗ ଦେବା ଏକପ୍ରକାର ସ୍ପଷ୍ଟ ହୋଇଛି । ତେବେ ଏହାକୁ ନେଇ କିଶୋର ମହାନ୍ତି ଓ ତାଙ୍କର ସମର୍ଥକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କିଶୋର ମହାନ୍ତିଙ୍କୁ ମନାଇବା ଲାଗି ଝାରସୁଗୁଡ଼ା ପହଁଚିଥିଲେ ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ । ଦଳୀୟ ନେତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ସମାଧାନର ବାଟ ଫିଟିଥିବା ଚର୍ଚ୍ଚା ହେଉଛି । ଆଗାମୀ ନିର୍ବାଚନରେ ଝାରସୁଗୁଡାରେ ବିଜେଡି ଟିକେଟ କାହାକୁ ଦିଆଯିବ ସେ ନେଇ ଆଲୋଚନା ଜୋର ଧରିଥିବା ବେଳେ ସୁପ୍ରିମୋଙ୍କ ନିଷ୍ପତିକୁ ସମସ୍ତେ ଗ୍ରହଣ କରିବେ ବୋଲି ରାଜି ହୋଇଥିବା କୁହାଯାଉଛି ।