ଝାରସୁଗୁଡା ସେଂଟମେରୀ ଡାକ୍ତରଖାନାରେ ଅଭାବନୀୟ ଘଟଣା ! ବୃଦ୍ଧା ଭିକାରୀଙ୍କ ଶବକୁ ସ୍କୁଲ ଖେଳ ପଡିଆରେ ଫିଙ୍ଗି ଚାଲିଗଲେ

42

କନକ ବ୍ୟୁରୋ : ପୁଣି ଶବକୁ ଅସମ୍ମାନ । ପରିବାର ଲୋକ ନଥିବାରୁ ସ୍କୁଲ ପଡିଆରେ ବୃଦ୍ଧା ଭିକାରୀଙ୍କୁ ଶବକୁ ଫିଙ୍ଗି ଦେଇ ଚାଲିଗଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଏଭଳି ଅଭାବନୀୟ ଘଟଣା ଦେଖାଦେଇଛି ଝାରସୁଗୁଡା ସେଂଟ ମେରୀ ଡାକ୍ତରଖାନାରେ । ଝାରସୁଗୁଡା ରେଲୱେ କଲୋନୀରେ ରହୁଥିବା ଜଣେ ବୃଦ୍ଧା ଅସୁସ୍ଥ ହେବାରୁ ତାଙ୍କ ସାଥୀରେ ରହୁଥିବା ଅନ୍ୟ ଭିକାରୀମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଂଟ ମେରୀ ଡାକ୍ତରଖାନାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର କେହି ସମ୍ପର୍କୀୟ ନଥିବାରୁ ତାଙ୍କ ଶବ ଦାହ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ମୃତକଙ୍କ ସାଥୀମାନେ ।

ହେଲେ ମେଡିକାଲ କର୍ତ୍ତୃପକ୍ଷ ସେମାନଙ୍କ ନିବେଦନକୁ ଗ୍ରହଣ ନକରି ଏକ ଗାଡି ଯୋଗେ ବୃଦ୍ଧାଙ୍କ ମୃତଦେହକୁ ପଠାଇ ଦେଇଥିଲେ । ତେବେ ଗାଡିଟି ମୃତଦେହକୁ ନିକଟସ୍ଥ ଏକ ସ୍କୁଲର ଖେଳ ପଡିଆରେ ଫିଙ୍ଗି ପଳାଇଛି । ଏନେଇ ଜଣାପଡିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗରେ ଏକ ଶବ ବାହକ ଗାଡିରେ ମୃତଦେହ ପଠାଇ, ଶେଷକୃତ୍ୟ ପାଇଁ ଝାରସୁଗୁଡା ମ୍ୟୁନିସିପାଲଟିକୁ ଅନୁରୋଧ କରାଯାଇଛି ।

ଏଇଟା ପ୍ରଥମ ଥର ନୁହେଁ ଯେତେବେଳେ ଶବକୁ ଏପରି ଅସମ୍ମାନ କରାଯାଉଛି । ଗତ ମାସରେ ମଧ୍ୟରେ ଏପରି ଏକ ଘଟଣା ଘଟିଥିଲା । ଜୟପାଟଣାରେ ଦୁଇ ବାଇକ୍ ଧକା ହେବା ଫଳରେ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେହି ଯୁବକଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା ।

ମହାପ୍ରୟାଣ ଗାଡି ପାଇଁ ପୁଲିସକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ବୋଲି ଅଭିଯୋଗ କରିଛଥିଲେ ଯୁବକଙ୍କ ସମ୍ପର୍କୀୟ । ଶେଷରେ ଅନ୍ୟ ଉପାୟ ନପାଇ ଠେଲା ଗାଡିରେ ଶବ ବୋହିଥିଲେ ପରିବାର ଲୋକ । ପ୍ରାୟ ଦେଢ଼ କିଲୋମିଟରରୁ ଅଧିକ ବାଟ ଠେଲା ଗାଡିରେ ବୋହି ନେଇଥିଲେ ଲୋକେ । ଶବ ନେବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ଗାଡି ଯୋଗାଇ ଦେଇନଥିଲେ । ଫଳରେ ବାଧ୍ୟ ହୋଇ ମୃତ ଦେହକୁ ଠେଲା ଗାଡିରେ ବୋହି ବୋହି ନେଇଥିଲେ ପରିବାର ଲୋକ ।