ସୋରେନଙ୍କୁ ଇସିର ନୋଟିସ୍ ପରେ ଇଡିର ରେଡ: ସିଏଙ୍କ ଘରୁ ୧୯ କୋଟିର ନଗଦ ଟଙ୍କା ଜବତ, ଟଙ୍କା ଗଣିବା ପାଇଁ ଆସିଲା ମେସିନ୍

161

କନକ ବ୍ୟୁରୋ: ବେଆଇନ ଭାବେ ନିଜ ନାଁରେ ଖଣି ଲିଜ୍ ନେବା ମାମଲାରେ ନିର୍ବାଚନ କମିଶନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିବାର ଦିନକ ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ବିଭିନ୍ନ ସ୍ଥାନରେ ଚଢାଉ କରିଛି ।

ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗର କେତକ ସ୍ଥାନରେ ଇଡି ଚଢାଉ କରି ୧୯ କୋଟି ୩ ଲକ୍ଷ ନଗଦ ଟଙ୍କା ଜବତ କରିଛି । ଏତେ ପରିମାଣର ନଗଦ ଟଙ୍କା ଗଣି ନ ପାରିବାରୁ ଇଡି ଟଙ୍କା ଗଣା ମେସନ୍ ସହାୟତା ନେଇଛି । ଝାରଖଣ୍ଡର ବରିଷ୍ଠ ଖଣି ସଚିବ ପୁଜା ସିଂଘାଲଙ୍କ ଘରେ ଇଡି ସର୍ଚ ଅପରେସନ୍ କରିଛି । ଜବତ ହୋଇଥିବା ଟଙ୍କା ସିଂଘାଲଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଜଣେ ଚାଟାର୍ଡ ଆକାଉଂଟାଂଟ୍ଙ୍କୁ ଘରୁ ଜବତ କରାଯାଇଛି । ଏହି ଚାଟାର୍ଡ ଆକାଉଂଟାଂଟ୍ଙ୍କ ସହ ଝାରଖଣ୍ଡର ଅନ୍ୟ ସରକାରୀ ଅଧିକାରୀଙ୍କ ସହ ମଧ୍ୟ ସମ୍ପର୍କ ରହିଥିବା ଇଡି ଅଧିକାରୀମାନେ କହିଛନ୍ତି ।

ଖଣି ମାମଲା ସହ ଇଡି ଝାରଖଣ୍ଡରେ ମନରେଗା ପାଣ୍ଠି ହେରଫେର ମାମଲାର ମଧ୍ୟ ତଦନ୍ତ କରୁଛି । ଇଡି ସ୍କାନରେ ଅଛନ୍ତି ଖଣି ସଚିବ ପୁଜା ସିଂଘାଲ । ସେ ଖୁଂଟିର ଡେପୁଟି କମିଶନର ଥିବା ବେଳେ ମନରେଗା ପାଣ୍ଠି ହେରଫେର କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ଏପଟେ ଇଡିର ଚଢାଉ ପରେ ରାଜନୀତି ସରଗରମ ହୋଇପଡିଛି । ଝାରଖଣ୍ଡ ଗୋଡାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଟୁଇଟ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଖଣି ମନ୍ତ୍ରୀ ଥିବା ସମୟରେ ନିଜ ସମ୍ପର୍କୀୟ, ବିଧାୟକ ଏବଂ ପାଖ ଲୋକମାନଙ୍କୁ ବେଆଇନ ଭାବେ ଖଣି ଲିଜରେ ଦେଇଛନ୍ତି । ଏହି ମାମଲାରେ ତାଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାନଯିବ ତାହା ଉପରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଜଣାଇବାକୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଛନ୍ତି ।