ଏହି ଗ୍ରାମରେ ଏକାସାଙ୍ଗରେ ରହୁଥିଲେ ୫୦୧ ଝିଅ ଓ ପୁଅ, ବାହାଘର କରାଇଲେ କେନ୍ଦ୍ରମନ୍ତ୍ରୀ

312

କନକ ବ୍ୟୁରୋ : ଝାଡଖଣ୍ଡର ଜନଜାତୀୟ ଅଞ୍ଚଳରେ ଦୀର୍ଘଦିନ ହେବ ଲିଭ୍ ଇନରେ ରହୁଥିବା ୫୦୧ ଝିଅ ଓ ପୁଅଙ୍କର ସାମୁହିକ ବାହାଘର କରାଯାଇଛି । ରାଜ୍ୟର ଖୁଣ୍ଟି ଜିଲ୍ଲାରେ ଏନେଇ ଆୟୋଜନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ତାଙ୍କ ପତ୍ନୀ ମୀରା ମୁଣ୍ଡା ଉପସ୍ଥିତ ରହି କନ୍ୟାଦାନ କରିଛନ୍ତି । ଯେଉଁ ଯୋଡିମାନଙ୍କର ବାହାଘର କରାଗଲା ସେମାନଙ୍କ ବୟସ ୨୦ ବର୍ଷରୁ ୭୦ ବର୍ଷ ମଧ୍ୟରେ ।

ଏହି ବାହାଘରରେ ବର କନ୍ୟା ହୋଇଥିବା ଅନେକ ଯୋଡି ମାତା-ପିତା ହୋଇସାରିଛନ୍ତି । ଏହି ସାମୁହିକ ବିବାହ କାର୍ଯ୍ୟକ୍ରମରେ ସେମାନଙ୍କ ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ବାହାଘରର ଆୟୋଜନ ବୃଷ୍ଟି ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା କରାଯାଇଥିଲା । ଆଦିବାସୀ ଅଞ୍ଚଳରେ ଏଭଳି ଲିଭ୍ ଇନରେ ରହୁଥିବା ଯୋଡିଙ୍କୁ ଡୁକୁ ବୋଲି କୁହାଯାଇଥାଏ । ଏହି ଯୋଡିମାନେ ଗୋଟିଏ ଛାତ ତଳେ ବର୍ଷ ବର୍ଷ ଧରି ରହିଲେ ମଧ୍ୟ ସଂପର୍କକୁ ବିବାହର ନାମ ଦେଇପାରି ନଥାନ୍ତି । ଏହା ପଛରେ ରହିଛି ଆର୍ଥିକ ବାଧ୍ୟବାଧକତା । ଅର୍ଥାତ ଏହି ଆଦିବାସୀ ସମାଜର ଏକ ନିଆରା ପରମ୍ପରା ରହିଛି କି, କେହି ବି ବିବାହ କଲେ ପୁରା ଗାଁ ପାଇଁ ଭୋଜିର ଆୟୋଜନ କରିବାକୁ ପଡିଥାଏ ।

ଏହି ଭୋଜି ପାଇଁ ମାଂସ, ଭାତ ଓ ମଦ ଭଳି ପାନୀୟ ଦେବାକୁ ପଡିଥାଏ । କିଛି ଲୋକ ଗରିବ କାରଣରୁ ଏହି ବ୍ୟବସ୍ଥା କରିପାରିନଥାନ୍ତି । ଏହି କାରଣରୁ ସେମାନେ ଏକାସାଥୀରେ ରହିଲେ ମଧ୍ୟ ଏହାକୁ ବିବାହର ପରିଚୟ ଦେଇପାରି ନଥାନ୍ତି । କେବଳ ସେତିକି ନୁହେଁ ଯେପର୍ଯ୍ୟନ୍ତ ସେମାନଙ୍କର ବିବାହ ହୋଇ ନଥାଏ ସେମାନେ ପୈତୃକ ସମ୍ପତ୍ତି ଉପରେ ଭାଗ ପାଇ ନଥାନ୍ତି । ଏହାସହ ସେମାନଙ୍କ ତରଫରୁ ଜନ୍ମ ହୋଇଥିବା ପିଲାମାନେ ବାପା, ମାଙ୍କ ନାମ କେଉଁଠି ଉଲ୍ଲେଖ କରିବାର ସୁଯୋଗ ପାଇ ନଥାନ୍ତି । କେବଳ ସେତିକି ନୁହେଁ ଲିଭ୍ ଇନରେ ରହୁଥିବା ମହିଳାମାନଙ୍କୁ ଶଂଖା ସିନ୍ଦୂର ପିନ୍ଧିବାକୁ ଅନୁମତି ମିଳିନଥାଏ ।