ସତ କାଢିବାକୁ ସାମ୍ନାସାମ୍ନି ଜେରା । ଝରାଫୁଲଙ୍କ ବାପା ଓ ଅଭିଯୁକ୍ତ ରାକେଶକୁ ଏକାଠି ବସାଇ ପଚରାଉଚରା କଲା ପୋଲିସ । କେବେ ବାହାରିବ ସତ, ସାତଦିନ ପରେ ବି ପୋଲିସର ହାତଖାଲି ।

608

କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡ ରାକେଶ ସ୍ୱାଇଁ । ନୀରିହ ଝରାଫୁଲକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଏହି ନରରାକ୍ଷସକୁ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଛି ପୁଲିସ । ଘଟଣାର ୭ଦିନ ବିତି ଯାଇଥିଲେ ବି ବିଶେଷ କିଛି ତଥ୍ୟ ପାଇପାରୁନଥିବା ଯାଜପୁର ପୁଲିସ । ରାକେଶ ସ୍ୱାଇଁର ବୟାନରୁ ହିଁ କିଛି ପାଇବା ପାଇଁ ଆଶା ରଖିଛି ।

ଯାଜପୁର ପୁଲିସର ପାରିବାପଣିଆକୁ ବି ମାନିବାକୁ ପଡିବ । ଅଭିଯୁକ୍ତ ପାଖରେ ଅଛି, କିନ୍ତୁ ଏଯାଏଁ ପୁଲିସ ଝରାଫୁଲଙ୍କ ମୋବାଇଲ ପାଉନି କିମ୍ବା ରାକେଶଙ୍କ ସାଙ୍ଗ କିମ୍ବା ସେ ସ୍କୁଟିକୁ ମଧ୍ୟ ପାଉନି । ବରିଷ୍ଠ ପୁଲିସ ଅଧିକାରୀ ମାନେ ଏକଥା ଶୁଣି ଯାଜପୁର ପୁଲିସର ଦକ୍ଷତା ଉପରେ ସନ୍ଦେହ କରୁଛନ୍ତି । ସେପଟେ ଝରାଫୁଲଙ୍କ ବାପା କୁଆଖିଆରେ ପହଞ୍ଚି ପୁଲିସକୁ ସହଯୋଗ କରୁଛନ୍ତି । ଆଜି ପୁଲିସ ଝରାଫୁଲଙ୍କ ବାପା ଓ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଏକାଠି ବସାଇ ପଚରାଉଚରା କରିଛି ।


କୁଆଖିଆ ଥାନାରେ ଝରାଫୁଲଙ୍କ ବାପା ଓ ରାକେଶ ସ୍ୱାଇଁକୁ ଏକାଠି ବସାଇ ପଚରାଉଚରା କରାଯାଇଛି । ତେବେ ଦୁଇଜଣ ଏକାଠି ବସିଲେ ଅନେକ କଥା ସାମନାକୁ ଆସିପାରିବ ।

୧- ସେଦିନ ରାତିରେ ଝରାଫୁଲଙ୍କ ମୋବାଇଲରୁ ମେସେଜ କିଏ କରିଥିଲା?
୨- ଝରାଫୁଲଙ୍କ ମୃତ୍ୟୁପରେ ଏହି ମେସେଜ ରାକେଶ ସ୍ୱାଇଁ କରିଥିଲା କି?
୩- ବସରୁ ଓହ୍ଲାଇବା ପରେ ଝରାଫୁଲଙ୍କ ମୋବାଇଲ କାହିଁକି ସୁଇଚ ଅଫ ଥିଲା?
୪- ବିଳମ୍ବିତ ରାତିଯାଏ ମୋବାଇଲ ସୁଇଚ ଅଫ ରଖିବାର କଣ କାରଣ ଥିଲା?
୫- ମୃତଦେହକୁ ଯଶିପୁର ନେବାର ଯୋଜନା ପଛରେ କଣ ଉଦ୍ଦେଶ୍ୟ ଥିଲା?

ରିମାଣ୍ଡରେ ଆଣି ରାକେଶ ସ୍ୱାଇଁକୁ କୁଆଖିଆ ଥାନାରେ ପୁଲିସ ପଚରାଉଚରା କରିବା ପରେ ରାଜେନ୍ଦ୍ରପୁର ନିକଟକୁ ନେଇଥିଲା, ଯେଉଁଠାରେ ଝରାଫୁଲଙ୍କ ମୃତଦେହକୁ ଫୋପାଡି ଦେଇଥିଲା ରାକେଶ । କିନ୍ତୁ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଅଭିଯୁକ୍ତକୁ ନ ଓହ୍ଲାଇ ସେହିଭଳି କୁଆଖିଆ ପୁଲିସ ଫେରିଯାଇଥିଲା ।