ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା

ଗତକାଲି ମୃତଦେହ ଫିଙ୍ଗିଥିବା ସ୍ଥାନକୁ ଅଭିଯୁକ୍ତକୁ ନେଇଥିଲା ପୋଲିସ

500

କନକ ବ୍ୟୁରୋ : ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ତିନି ଦିନିଆ ରିମାଣ୍ଡରେ ଆଣିଥିବା ରାକେଶଠାରୁ ଗୋଟି ଗୋଟି କରି ସତ ଓଗାଳିବ କୁଆଖିଆ ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁ ପୂର୍ବରୁ ଦେଇଥିବା ବୟାନରେ କେତେ ସତ୍ୟତା ରହିଛି ତାହା ଜାଣିବା ପାଇଁ ପ୍ରଥମ ଦିନରେ ଝରାଫୁଲଙ୍କ ବାପା ଓ ରାକେଶକୁ ମୁହାଁମୁହିଁ ପଚରାଉଚରା କରିଛି ପୋଲିସ । ଝରାଫୁଲଙ୍କ ବାପାଙ୍କ ସାମନାରେ ରାକେଶକୁ ଗୁଡାଇତୁଡାଇ ପ୍ରଶ୍ନ କରିଛି ପୋଲିସ୍ । ଆଜି ବି ଦ୍ୱତୀୟ ଦିନରେ ଉଭୟଙ୍କୁ ପଚରାଉଚରା ଜାରି ରହିଛି ।

ଝରାଫୁଲଙ୍କ ମୃତ୍ୟୁକୁ ପ୍ରାୟ ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ହଟାଇ ପାରିନି ପୋଲିସ୍ । ସ୍ୱତନ୍ତ୍ର ଟିମ୍ କରି ଭୁବନଶ୍ୱେରରୁ କୁଆଖିଆ ପର୍ଯ୍ୟନ୍ତ ତନାଘନା ଜାରି ରଖିଛି ଯାଜପୁର ପୋଲିସ । ହେଲେ ରାକେଶ ଗିରଫ ହେବା ପରେ ପୋଲିସକୁ ଦେଇଥିବା ବୟାନ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ପ୍ରକୃତରେ ଝରାଫୁଲଙ୍କର କେମିତି ମୃତ୍ୟୁ ହେଲା ତାହା ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ହୋଇପାରିନି । ସେଥିପାଇଁ ଝରାଫୁଲଙ୍କ ମୃତ୍ୟୁ ସମୟରେ ତାଙ୍କ ସହ ଥିବା ରାକେଶଠାରୁ ସତ ଓଗାଳିବା ପାଇଁ ତିନି ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ପ୍ରଥମ ଦିନରେ ରାକେଶ କେତେ ସତ କହୁଛି ଓ କେତେ ମିଛି କହୁଛି ଜାଣିବା ପାଇଁ ଝରାଫୁଲଙ୍କ ବାପାଙ୍କୁ ବସାଇ ମୁହାଁମୁହିଁ ଜେରା କରିଥିବା ଜଣାପଡିଛି ।

ଅଭିଯୁକ୍ତ ରାକେଶକୁ ପୋଲିସ ଗିରଫ କରିବା ପରେ ଝରାଫୁଲଙ୍କର କେମିତି ମୃତ୍ୟୁ ହେଲା ସେ ଜାଣିନଥିବା କହିଥିଲେ । ଏପରିକି ସକାଳୁ ଉଠିବା ପରେ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ଡରିଯାଇଥିଲେ ବୋଲି କହିଥିଲେ । ଅନ୍ୟପଟେ ଝରାଫୁଲଙ୍କ ବାପା କହିଥିଲେ ଝରାଫୁଲଙ୍କ ମୃତ୍ୟୁ ପରେ ରାକେଶ ତାଙ୍କ ନମ୍ବରରୁ ରାତିରେ ଚାଟିଂ କରିଥିଲେ । ମେସେଜରେ ଲେଖାଯାଇଥିବା ଇଂରାଜୀ ବନାନରୁ ତାଙ୍କର ସନ୍ଦେହ ହୋଇଥିଲା । ଝରାଫୁଲଙ୍କ ବାପାଙ୍କ ଅଭିଯୋଗ ଓ ରାକେଶର ବୟାନରେ କେତେ ସତ୍ୟତା ରହିଛି ଜାଣିବା ପାଇଁ ଉଭୟଙ୍କୁ ଏଭଳି ସାମନାସାମନି ବସାଇ ପୋଲିସ ଜେରା କରିଥିବା ଜଣାପଡିଛି । ଆସନ୍ତୁ ନଜର ପକାଇବା ଜେରା ସମୟରେ କି ପ୍ରଶ୍ନ କରିଥାଇପାରେ ପୋଲିସ ।

ପୋଲିସ ରାକେଶକୁ ପଚାରି ଥାଇପାରେ ଏମିତି ପ୍ରଶ୍ନ..

– ସେଦିନ ଝରାଫୁଲଙ୍କ ଦେହ ଅସୁସ୍ଥ ଥିବା କେତେବେଳେ ଜାଣିଲେ ରାକେଶ ?
– ଅସୁସ୍ଥ ଥିବା ଜାଣିବା ପରେ କୌଣସି ହସ୍ପିଟାଲକୁ ନେଇଥିଲେ କି ?
– ଯଦି ନେଇ ନଥିଲେ, କାହିଁକି ନେଇ ନଥିଲେ ?
– ରାତିରେ ରହିବା ପାଇଁ କିଏ କହିଥିଲା ?
– ରାତିରେ ଝରାଫୁଲ କିଛି ଖାଇଥିଲେ କି ?
– ଗେଷ୍ଟହାଉସର ସେହି ରୁମକୁ ରାତିରେ ଆଉ କିଏ ଆସିଥିଲେ କି ?
– ରାତିରେ କିଏ ଆଗ ଶୋଇଥିଲେ, ଝରାଫୁଲ ନା ତମେ ?
– ଝରାଫୁଲଙ୍କ ଭାଇଙ୍କ ସହ କିଏ ଚାଟ୍ କରିଥିଲା, ଝରାଫୁଲ ନା ତମେ ?
– ସୋନାଲି ନାଁରେ କିଏ ଚାଟ୍ କରିଥିଲେ ?
– ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା କେତେବେଳେ ଦେଖିଲ ?
– ତମେ ଜାଣିପାରିଥିଲ କି ଝରାଫୁଲଙ୍କର ମୃତ୍ୟୁ ହୋଇଯାଇଛି ?
– ଯଦି ଜାଣି ପାରିଲନି ତେବେ ହସ୍ପିଟାଲକୁ ନେଲ ନାହିଁ କାହିଁକି ?
– ଆମ୍ବୁଲାନ୍ସକୁ ଡାକିଲନି କାହିଁକି ?
– ଗେଷ୍ଟହାଉସ କର୍ମଚାରୀଙ୍କୁ ସୂଚନା ଦେଇଥିଲ କି ?
– ଯାଜପୁର ପର୍ଯ୍ୟନ୍ତ ମୃତ ଦେହକୁ କେମିତି ଆଣିଲ ?
– କିଏ ସହଯୋଗ କରିଥିଲା ?
– କାହିଁକି ଲୁଚାଇବାକୁ ଚାହୁଁଥିଲ ?

ଝରାଫୁଲ ଓ ରାକେଶର ସମ୍ପର୍କ ନେଇ ପୂର୍ବରୁ ତାଙ୍କ ବାପାଙ୍କୁ ଜଣାଥିଲା । ଏପରିକି ରାକେଶ ସହ ସମ୍ପର୍କ ନରଖିବାକୁ ଝରାଫୁଲଙ୍କ ପରିବାର ତାଙ୍କୁ ବାରମ୍ବାର ତାଗିଦ ମଧ୍ୟ କରିଥିଲେ । ଏଥିସହ ଝରାଫୁଲଙ୍କ ବାପାଙ୍କ ସନ୍ଦେହ କେତେ ସତ ତାହା ଜାଣିବା ପାଇଁ ତାଙ୍କୁ ରାକେଶ ସାମନାରେ ପୋଲିସ ମୁହାଁମୁହିଁ ପଚାରିଛି । ଆଜି ଭୁବନେଶ୍ୱରକୁ ଆଣି ଧର୍ମ ବିହାର ସ୍ଥିତି ଶିବସାଇ ଗେଷ୍ଟ ହାଉସରେ ସିନ୍ ରି କ୍ରିଏସନ କରିପାରେ ପୋଲିସ । ଗତକାଲି ମୃତ ଦେହ ଫିଙ୍ଗିଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ ।

ପୋଲିସ ଝରାଫୁଲଙ୍କ ବାପାଙ୍କୁ ପଚାରି ଥାଇପାରେ ଏମିତି ପ୍ରଶ୍ନ..

– ଝରାଫୁଲ ଓ ରାକେଶଙ୍କ ସମ୍ପର୍କ ନେଇ କେବେ ଜାଣିଲ ?
– ରାକେଶ ଓ ଝରାଫୁଲଙ୍କ ସମ୍ପର୍କକୁ କାହିଁକି ବିରୋଧ କରୁଥିଲେ ?
– ରାକେଶ ସହ ପୂର୍ବରୁ କେବେ କଥା ହୋଇଛନ୍ତି କି ?
– ରାକେଶର ଫୋନ ନମ୍ବର ଆପଣ ଜାଣିଥିଲେ କି ?
– ହ୍ୱାଟସଆପ ଚାଟକୁ କାହିଁକି ସନ୍ଦେହ କଲେ ?
– ସେଦିନ ରାତିରେ ସନ୍ଦେହ ହେବା ପରେ ରାକେଶକୁ ଯୋଗାଯୋଗ କରିଥିଲେ କି?

୨୬ ତାରିଖ ଦିନ ତମାମ ରାକେଶ ଝରାଫୁଲଙ୍କ ସହ ରହିଥିବାରୁ ସେଦିନ ପ୍ରକୃତରେ କଣ ଘଟିଥିଲା, ସେସବୁର ରହସ୍ୟ ଜାଣିଛି ରାକେଶ । ଏଥିସହ ରାକେଶର ସନ୍ଦେହପୂର୍ଣ୍ଣ କାର୍ଯ୍ୟ ତାକୁ ଆହୁରି ସନ୍ଦେହ ଭିତରକୁ ଠେଲି ଦେଇଛି ।