ବାଲେଶ୍ବରରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ସମୁଦ୍ରରୁ ମିିଳିଲା ମୃତଦେହ, ପୁଲିସର ଛାନଭିନ୍ ଜାରି 

115

କନକ ବ୍ୟୁରୋ: ଫୋନ୍‌ କରି ଡାକିଲେ ଆଉ ହତ୍ୟା କରି ସମୁଦ୍ରକୂଳରେ ଶବ ପୋତି ଫେରାର ହୋଇଗଲେ। ଦୁଇଦିନ ତଳେ ନିଖୋଜ ଥିବା ବାଲେଶ୍ବର ଖନ୍ତାପଡା ଥାନା ଉସଙ୍ଗ ଅଞ୍ଚଳର ଜୟନ୍ତ ମଳିକଙ୍କ ମୃତଦେହ ଆଜି ଅପରାହ୍ନରେ ଗୋପାଳପୁର ଫାଣ୍ଡି ପୁଲିସ ସମୁଦ୍ରରୁ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି।

ପାରିପାର୍ଶ୍ବିକ ସ୍ଥିତି‌ରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବା ପରେ ପୁଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ଜୟନ୍ତଙ୍କ ମୁଣ୍ଡ ପଛ ପଟେ ଗଭୀର କ୍ଷତ ଥିବାବେଳେ ହାତଗୋଡ଼ ଗୋଟିଏ ରଶିରେ ବନ୍ଧା ଯାଇ ବେଳାଭୂମିଠାରୁ ଦେଢ଼ କିମି ଦୂର ସମୁଦ୍ର ଭିତରେ ପୋତା ଯାଇଥିଲା। ଗ୍ରାମବାସୀ ଓ ସ୍ଥାନୀୟ ପୁଲିସ ଦିନ ତମାମ ଖୋଜାଖୋଜି କରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ଜୟନ୍ତଙ୍କ ମୃତଦେହକୁ ସମୁଦ୍ରକୂଳରୁ ଉଦ୍ଧାର କରାଯାଇଥିଲା। ଜୟନ୍ତଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ଗୋଡହାତ ବାନ୍ଧି ସମୁଦ୍ରରେ ପୋତି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।

ସୂଚନା ମୁତାବକ, ଶନିବାର ରାତିରେ ସୁରେନ୍ଦ୍ର ମଳିକଙ୍କ ପୁଅ ଜୟନ୍ତ ଘରେ ପରିବାର ସହ ବସି ଖାଉଥିଲେ। ହଠାତ୍ ଜୟନ୍ତଙ୍କ ମୋବାଇଲକୁ ଏକ କଲ୍‌ ଆସିଥିଲା। ଫୋନ୍‌ କଲ୍‌ ପାଇବା ପରେ ସେ ଅଧାରୁ ଖାଇବା ଛାଡି ବାହାରକୁ ପଳାଇ ଯାଇଥିଲେ। ତେ‌ବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଜୟନ୍ତଙ୍କ ସ୍ତ୍ରୀ ପାର୍ବତୀ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଘଟଣାର ଗୁରୁତ୍ୱ ଦେଖି ପୁଲିସ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା ଚଳାଇଥିବା ବେଳେ ସୋମବାର ଅପରାହ୍ନରେ ଜୟନ୍ତଙ୍କ କ୍ଷତାକ୍ତ ମୃତଦେହ ସମୁଦ୍ରରୁ ଉଦ୍ଧାର ହୋଇଥିଲା।

ଜୟନ୍ତଙ୍କ ହତ୍ୟା କଥା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ ଯାଇଥିଲେ। ଖନ୍ତାପଡା ଥାନା ଆଇଆଇସି ପରେଶ କୁମାର ରାଉତ, ସ୍ଥାନୀୟ ସରପଞ୍ଚ ନିବେଦିତା ନାୟକ, ପୂର୍ବତନ ସରପଞ୍ଚ ରମାକାନ୍ତ ଦାଶ, ଥାନା ଏଏସ୍‌ଆଇ ଗଦାଧର ଜେନା, ହୃଦୟମାଧବ ଦାସପଟ୍ଟନାୟକଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ କେଉଁ ନମ୍ବରରୁ କଲ୍‌ ଆସିଥିଲା? ଏମିତି କ’ଣ କୁହାଗଲା ଯେ, ଜୟନ୍ତଙ୍କୁ ଖାଇବା ଛାଡ଼ିବାକୁ ପଡିଥିଲା, ସେ ଦିଗ ଉପରେ ଯାଞ୍ଚ କଲେ ଜୟନ୍ତଙ୍କ ହତ୍ୟାକାଣ୍ଡ‌ର ପର୍ଦ୍ଦାଫାସ ହୋଇପାରିବ ବୋଲି କୁହାଯାଉଛି। ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଖନ୍ତାପଡା ଥାନା ଆଇଆଇସି ପରେଶ କୁମାର ରାଉତ ସୂଚନା ଦେଇଛନ୍ତି।