ନବୀନଙ୍କ ମତକୁ ଗ୍ରହଣ କଲେନାହିଁ ଦାମ ! ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ନବୀନଙ୍କ ଟ୍ୱିଟ୍, କହିଲେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ

158

କନକ ବ୍ୟୁରୋ : ନବୀନଙ୍କ କଥାରେ ରାଜି ହେଲେ ନାହିଁ ମନ୍ତ୍ରୀ ଦାମ ରାଉତ । ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ ଭାବେ ତାଙ୍କୁ ବର୍ଣ୍ଣନା କରିଛନ୍ତି । କିନ୍ତୁ ଦାମ କହିଛନ୍ତି, ଜୟୀରାଜଗୁରୁ ସ୍ୱାଧିନତା ସଂଗ୍ରାମୀ ବୋଲି ସେ ବିଲକୁଲ ମାନିବେ ନାହିଁ ।

ଆଜି ୬ ଡିସେମ୍ବର । ଇଂରେଜ ବିରୁଦ୍ଧରେ ଲଢେଇ କରି ଆଜି ଦିନରେ ପ୍ରାଣବଳି ଦେଇଥିଲେ ଓଡ଼ିଶା ମାଟିର ମହାନ ସଂଗ୍ରାମୀ ଜୟୀ ରାଜଗୁରୁ । ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ ଭାବେ ତାଙ୍କୁ ବର୍ଣ୍ଣନା କରିଛନ୍ତି । କିଛି ଦିନ ତଳେ ମନ୍ତ୍ରୀ ଦାମ ରାଉତଙ୍କ ବିବାଦୀୟ ବୟାନ ପରେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ କି ନୁହଁନ୍ତି, ଏ ନେଇ ବିତର୍କ ସୃଷ୍ଟି ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିଥିବା ବେଳେ ଏହାକୁ ମାନିବାକୁ ନାରାଜ ଦାମବାବୁ । ସୂଚନାଯୋଗ୍ୟ ୬ ଡିସେମ୍ବର, ୧୮୦୬ ଦିନ ମହାନ ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ଇଂରେଜମାନେ ବରଗଛରେ ଓହଳାଇ ଦୁଇ ଫାଳ କରିଦେଇଥିଲେ । ହେଲେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ କି ନୁହଁନ୍ତି? ୨୧୧ ବର୍ଷ ପରେ ଏ ନେଇ ପ୍ରଶ୍ନ ଉଠିଲା କାହିଁକି ?

NABIN PATTANAIKଜୟୀ ରାଜଗୁରୁଙ୍କୁ ନେଇ ବିବାଦ ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶ୍ରାଦ୍ଧ ଦିବସରେ ଟ୍ୱିଟ୍ କରିଛନ୍ତି ।  ଟ୍ୱିଟରେ ସେ ଲେଖିଛନ୍ତି, ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ଓଡ଼ିଆ ସହିଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ବାର୍ଷିକରେ ଭକ୍ତିପୂତ ଶ୍ରଦ୍ଧାଂଜଳି । ଅତି ସ୍ପଷ୍ଟ ଭାଷାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଜୟୀ ରାଜଗୁରୁ ଜଣେ ମହାନ ବିପ୍ଳବୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଆଉ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ ଭାବେ ବର୍ଣ୍ଣନା କରିଛନ୍ତି ନବୀନ । ହେଲେ ଏକଥା ମାନିବାକୁ ନାରାଜ ନବୀନଙ୍କ ମନ୍ତ୍ରୀ ଡାକ୍ତର ଦାମ ରାଉତ । ଦାମବାବୁ ପୁଣି ଥରେ ଦୋହରାଇଛନ୍ତି ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନଥିଲେ । ଏଭଳି ତଥ୍ୟକୁ ସେ ବିଲକୁଲ ମାନିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

ଅବଶ୍ୟ ୧୪ ବର୍ଷ ତଳେ ଅର୍ଥାତ ୨୦୦୩ ମସିହାରେ ମନ୍ତ୍ରୀ ଦାମ ରାଉତଙ୍କ ମନ୍ତବ୍ୟ ଥିଲା ପୂରା ଅଲଗା । ଆସନ୍ତୁ ଜାଣିବା ପୁରା ଘଟଣାକ୍ରମ କ’ଣ ଥିଲା ? ଜୟୀ ରାଜଗୁରୁ ସହିଦ ଦିବସ ପାଳନ କମିଟି ଆନୁକୁଲ୍ୟରେ ପ୍ରକାଶିତ ସ୍ମରଣିକାରେ ଲେଖାଥିଲା ଏକ ବାର୍ତ୍ତା । ସେହି ସମୟରେ ତତ୍କାଳୀନ ପଂଚାୟତିରାଜ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦାମ ରାଉତଙ୍କ ଜୟୀ ରାଜଗୁରୁଙ୍କୁ ନେଇ ଦେଇଥିଲେ ବାର୍ତ୍ତା । ଏଥିରେ ସେ ଲେଖିଥିଲେ, ଓଡ଼ିଶାର ଜୟୀ ରାଜଗୁରୁ ଜାତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ । ଯାହାଙ୍କୁ ଅତି ନିର୍ଦ୍ଦୟ ଭାବେ ମୃତ୍ୟୁ ଦଣ୍ଡ ଦେଇଥିଲେ ଇଂରେଜ । ହେଲେ ୧୪ ବର୍ଷ ପରେ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି କହି ବିବାଦ ସୃଷ୍ଟି କରିଛନ୍ତି ଦାମ । ଏହା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଏହି ବିବାଦକୁ ଆଉ ଏକ ନୂଆ ମୋଡ ଦେଇଛି ।