କନକ ବ୍ୟୁରୋ : ପ୍ରଥମେ ବିଏସଏଫ, ପରେ ସିଆରପିଏଫ ଏବେ ଆର୍ମି । ଯବାନ ଦେଖାଇଲେ ସୀମାର ଆଉ ଏକ ସତ । ଦେଶର ରକ୍ଷା ପାଇଁ ନିୟୋଜିତ ସୁରକ୍ଷାକର୍ମୀ କିଭଳି ଉପରିସ୍ଥ ଅଧିକାରୀଙ୍କ ବୋଲହାକ କରୁଛନ୍ତି । ସୋସିଆଲ ମିଡିଆ ଜରିଆରେ ଆର୍ମି ଜବାନ କଲେ ଭିଡିଓ ଭାଇରାଲ । ଲାନ୍ସ ନାୟକ ୟଜ୍ଞ ପ୍ରତାପ ସିଂ । ଡେରାଡୁନରେ ୪୨ ଇନଫାଂଟ୍ରୀ ବ୍ରିଗଡରେ କାର୍ଯ୍ୟରତ । ବନ୍ଧୁକ ଧରି ଶତ୍ରୁପକ୍ଷର ମୁକାବିଲା କରିବା ବଦଳରେ ନିଜ ଉପରିସ୍ଥ ଅଧିକାରୀଙ୍କ ବୁଟ୍ ପଲିସ କରିବା, ପୋଷାକ ସଫା, କୁକୁର ବୁଲାଇବା ଭଳି କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଉଥିବା, ସେ ଅଭିଯୋଗ କରିଛନ୍ତି ।

Advertisment

ବଡ କଥା ହେଉଛି ଗତ ବର୍ଷ ଜୁନ୍ ୧୫ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅଫିସର ମାନେ କିଭଳି ଶୋଷଣ କରୁଛନ୍ତି, ତାର ତଥ୍ୟ ରଖିଥିଲେ ୟଜ୍ଞ ପ୍ରତାପ । ଏକଥା ଯେତେବେଳେ ଅଧିକାରୀଙ୍କ କାନରେ ପଡିଲା, ସେତେବେଳେ ତାଙ୍କ ଉପରେ ଅତ୍ୟାଚାର ବଢିଯାଇଥିଲା । ଏବେ ତାଙ୍କର କୋର୍ଟ ମାର୍ସଲ କରାଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ସେନାରେ କାମ କରିବାର ଅଭିଜ୍ଞତା ରଖିଥିବା ଏହି ଯବାନ କହିଛନ୍ତି, ସବୁ କ୍ଷମତା ଅଧିକାରୀଙ୍କ ହାତରେ ଥାଏ, ତେଣୁ ସ୍ୱର ଉଙ୍ଖାଇବାକୁ ସମସ୍ତେ ଡରନ୍ତି ।

ସେପଟେ ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି, ସବୁ କମାଣ୍ଡ ମୁଖ୍ୟାଳୟରେ ଅଭିଯୋଗ ବାକ୍ସ ରଖିବାକୁ ନିର୍ଦ୍ଦେଶ ଦିଆହୋଇଛି । ଯେକୈାଣସି ସୈନିକ ନିଜ ନିଜ ଅଭିଯୋଗ ଏହି ବାକ୍ସରେ ପକାଇପାରିବେ, ଆଉ ସୁରକ୍ଷାକର୍ମୀଙ୍କ ପରିଚୟ ଗୋପନୀୟ ରଖାଯିବ । ସୋସିଆଲ ମିଡିଆକୁ ଯିବା ବଦଳରେ ସୈନିକ ତାଙ୍କ ପାଖରେ ଅଭିଯୋଗ ପହଂଚାଇବାକୁ ସେ ଅପିଲ୍ କରିଛନ୍ତି ।

ପୂର୍ବରୁ ବିଏସଏସଫ ଯବାନ ସୋସିଆଲ ମିଡିଆରେ ଭିଡିଓ ଜାରି କରି, କିଭଳି ନିମ୍ନ ମାନର ଖାଦ୍ୟ ଦିଆଯାଉଥିଲା, ତାର ଖୁଲାସା କରିଥିଲେ । ସିଆରପିଏଫ ଯବାନ କରାଯାଉଥିବା ପାତର ଅନ୍ତରର ଚିତ୍ର ସାମ୍ନାକୁ ଆଣିଥିଲେ । ଆଉ ଏବେ ଆର୍ମି ଯବାନ । ଶୃଙ୍ଖଳାକୁ ନେଇ ସବୁବେଳେ ଚର୍ଚ୍ଚିତ ଥିବା ସେନାରେ ଭିଡିଓ ଭାଇରାଲ ହେବା ଓ ଯବାନ ଅଫିସରଙ୍କ ଭିତରେ ତିକ୍ତ ସଂପର୍କ ସାମ୍ନାକୁ ଆସିବା, ଏବେ ସେନାର ସମ୍ମାନ ପ୍ରତି ଆଂଚ ଅଣିଛି ।