ସୀମାରେ ପୁଣି ସୈତାନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜଣେ ଯବାନ ସହିଦ ।

123

କନକ ବ୍ୟୁରୋ : ଜମ୍ମୁକଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ବୁଧବାର ଦିନ ପାକିସ୍ତାନୀ ସେନା ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନ ସେକ୍ଟର୍‌ରେ ପାକିସ୍ତାନ ସୈନିକମାନେ ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୁଳି ବର୍ଷଣ କରିବା ସହ ମୋର୍ଟାର୍‌ (ଏକ ଜାତୀୟ ହାତ ବୋମା) ନିକ୍ଷେପ କରିଥିଲେ । ଏହି ଘଟଣାରେ ଭାରତୀୟ ସେନାରେ ସିପାହୀ ଥିବା ଲକ୍ଷ୍ମଣ ନାମକ ଜଣେ ଯବାନ ସାଙ୍ଘାତିକ ଆହତ ହୋଇଥିଲେ । ପରେ ଆହତ ଲକ୍ଷ୍ମଣଙ୍କର ଦେହାନ୍ତ ହୋଇଯାଇଛି ।

ପ୍ରତିରକ୍ଷା ବିଭାଗ ଜାରି କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି, ସିପାହୀ ଲକ୍ଷ୍ମଣ ଥିଲେ ଜଣେ ସାହସୀ, ଉତ୍ସର୍ଗୀକୃତ ଏବଂ ନିଷ୍ଠାପର ସୈନିକ । ତାଙ୍କର ଆତ୍ମବଳି ଏବଂ ନିଷ୍ଠାପର କର୍ତ୍ତବ୍ୟ ପରାୟଣତା ଯୋଗୁଁ ଦେଶ ଚିରକାଳ ତାଙ୍କ ନିକଟରେ ଋଣୀ ରହିବ । ଗତ କିଛି ବର୍ଷ ହେବ ଜମ୍ମୁକଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ନିର୍ବିଚାର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି । ଏଥିଯୋଗୁଁ ସୀମାନ୍ତବର୍ତ୍ତୀ ଗାଁଗଣ୍ଡାରେ ବାସ କରୁଥିବା ହଜାର ହଜାର ବ୍ୟକ୍ତି ଦୁର୍ଦ୍ଦଶା ଭୋଗୁଛନ୍ତି । ସାଧାରଣ ଜନତାଙ୍କ ଜୀବନ, ସେମାନଙ୍କ ଗୃହପାଳିତ ପଶୁପକ୍ଷୀ, ସମ୍ପତ୍ତି ଓ କୃଷିକ୍ଷେତ୍ର ବିପନ୍ନ ହେଉଛି ।