ନିୟନ୍ତ୍ରଣ ସୀମା ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ ! ଜଣେ ଯବାନ ସହିଦ,୨ ଶହ କିଲୋମିଟର ଅଚଂଳରେ ରେଡ ଆଲର୍ଟ

26

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଆରଏସପୁରା ଓ ଅରନିୟା ସେକ୍ଟରରେ ପୁଣି ଅସ୍ତ୍ରବିରତୀ ଉଲ୍ଲଂଘନ କରିଛି ପାକିସ୍ତାନ । ଗତକାଲି ରାତିରେ ଆରଏସପୁରା ଓ ଅରନିୟା ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଘନ କରାଯାଇଛି । ଏଥିସହ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରି ଗୁଳି ଓ ମୋର୍ଟାର ମାଡ କରାଯାଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଜଣେ ଯବାନ ଓ ସ୍ଥାନୀୟ ମହିଳା ଆହତ ହୋଇଛନ୍ତି । ଏହାର ଜବାବରେ ଭାରତୀୟ ସେନା ମଧ୍ୟ ଗୁଳିମାଡ କରିଥିଲା ।

ବିଳମ୍ବିତ ରାତି ଯାଏଁ ଉଭୟ ପଟୁ ଗୁଳିବର୍ଷଣ ହୋଇଥିଲା । ଏହାପରେ ସେହି ଅଂଚଳର ଦୀର୍ଘ ୨ଶହ କିଲୋମିଟର ଅଂଚଳରେ ରେଡ ଆଲର୍ଟ ଜାରି କରାଯାଇଛି । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଏଲଓସିରେ ପାକ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ଭାରତୀୟ ସେନା । ଉରୀ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୫ ଆତଙ୍କବାଦୀଙ୍କୁ ନିପାତ କରିବା ସହ କୋଟଲୀ ସେକ୍ଟରରେ ୭ ପାକିସ୍ତାନୀ ରେଂଜର୍ସଙ୍କୁ ମଧ୍ୟ ନିହତ କରିଥିଲେ ସେନା ।