ଟଳିଲା ବାତ୍ୟା ବିପଦ! ସମୁଦ୍ର ଭିତରେ ଦୁର୍ବଳ ହେଉଛି ‘ଜୱାଦ’ । ବର୍ଷା ହେବ, କମ ରହିବ ପବନର ବେଗ

269

କନକ ବ୍ୟୁରୋ:ଠିକ୍ ହେଲାନି ପାଣିପାଗ ବିଭାଗର ପୂର୍ବାନୁମାନ । ସମୁଦ୍ର ଭିତରେ ଦୁର୍ବଳ ହେଲା ବାତ୍ୟା ‘ଜୱାଦ’ । ଫଳରେ ଏକ ବଡ ଧରଣର ବିପଦ ଓଡ଼ିଶା ଉପକୂଳରୁ ଟଳି ଯାଇଛି । ବାତ୍ୟା ଦିଗ ବଦଳାଇବା ପରେ ସମୁଦ୍ର ଭିତରେ ହିଁ ଗଭୀର ଅବପାତରେ ପରିଣତ ହେବ ଏବଂ ଉତ୍ତର-ଉତ୍ତର ପୂର୍ବ ମୁହାଁ ହୋଇ ଗତି କରିବ । ଏହାର ପ୍ରଭାବରେ ପବନର ବେଗ ଯଦିଓ କମ ରହିବ କିନ୍ତୁ ବର୍ଷାର ପରିମାଣ ପ୍ରବଳ ରହିବ । ଏହାକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ପ୍ରସ୍ତୁତି କରାଯାଇଛି ।

ଗତକାଲି ଯେତିକି ବଳ ନେଇ ବାତ୍ୟା ଆସୁଥିଲା, ଆଜି ସେଥିରେ ହ୍ରାସ ଘଟିଛି । ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ଜୱାଦ, ଉତ୍ତର ମୁହାଁ ହେବା ବେଳେ ଶିଥିଳ ହୋଇଯାଇଛି । ଆଜି ରାତି ରିକର୍ଭ କରିବା ବେଳେ ଏହା ବାତ୍ୟା ନୁହେଁ, ଗଭୀର ଅବପାତରେ ପରିଣତ ହୋଇଯିବ । ସବୁଠୁ ବଡ଼ କଥା ହେଉଛି ବାତ୍ୟା ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ନିକଟତର ହେବ, କିନ୍ତୁ ସ୍ଥଳଭାଗ ଛୁଇଁବା ସମ୍ଭାବନା କମ୍ ।

ସମୁଦ୍ର ଭିତରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜୱାଦ । ଆଜି ରାତିରେ ବାତ୍ୟା ଜୱାଦ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାପରେ ରିକର୍ଭ କରି ଉତ୍ତର ଓ ଉତ୍ତର-ପୂର୍ବ ମୁହାଁ ହୋଇ ଗତି କରିବ । ରବିବାର ମଧ୍ୟାହ୍ନରେ ପୁରୀର ନିକଟବର୍ତ୍ତୀ ହେବ । ତେବେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା କମ୍ । ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ । ତେବେ ଏହାର ପ୍ରଭାବରେ ଓଡିଶା ଉପକୂଳରେ ୬୦ରୁ ୭୦ କିଲୋମିଟର ପବନ ବହିପାରେ କିନ୍ତୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ କଚ୍ଚା ଘରେ ନରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।

ସେହିପରି ସମୁଦ୍ରରେ ସ୍ୱାଭାବିକ ଠାରୁ ଦେଢ଼ ଫୁଟ ଅଧିକ ଉଚ୍ଚର ଜୁଆର ଉଠିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଚାଷୀ କୂଳର ଅଧିକ କ୍ଷତି ହେବାର ସମ୍ଭାବନା ଥିବାରୁ ୭ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି ଏସଆରସି । ତେବେ ନଜର ପକାନ୍ତୁ, କ’ଣ ରହିବ ‘ଜୱାଦ’ର ପ୍ରଭାବ?

  • ସର୍ବାଧିକ ୬୦ରୁ ୭୦ କିଲୋମିଟର ବେଗରେ ପବନ
  • ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା
  • ଜଗତସିଂହପୁର, ପୁରୀକୁ ରେଡ୍ ୱାର୍ଣ୍ଣିଂ
  • କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, ଗଂଜାମ, ଗଜପତି ଓ ଖୋର୍ଦ୍ଧାକୁ ଅରେଞ୍ଜ ୱାର୍ଣ୍ଣିଂ

ଏଥର କିନ୍ତୁ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ୍ ହୋଇନି । ଗତକାଲି ସୁଦ୍ଧା ବାତ୍ୟା ଜୱାଦ ସଂପର୍କରେ ସଠିକ ତଥ୍ୟ ଦେଇପାରିନଥିଲା ପାଣିପାଗ ବିଭାଗ । ସମୁଦ୍ର ଭିତରେ ଭୀଷଣ ସାମୁଦ୍ରିକ ଝଡ଼ର ଆକଳନ କରାଯାଇଥିଲା । ୧୧୦ କିଲୋମିଟର ପର୍ଯ୍ୟନ୍ତ ପବନର ବେଗ ବୋଲି କୁହାଯାଇଥିଲା । ତେବେ ଆଜି ସକାଳେ ବଦଳି ଯାଇଥିଲା ଆକଳନ । ସମୁଦ୍ର ଭିତରେ ହିଁ ବାତ୍ୟା ଦୁର୍ବଳ ହେବ ବୋଲି କହିଛି ପାଣିପାଗ ବିଭାଗ । ସୂଚନାଯୋଗ୍ୟ ଯେ, ୧୨୯ ବର୍ଷ ଧରି ଡିସେମ୍ବର ମାସରେ ବଙ୍ଗୋପସାଗର ସୃଷ୍ଟି ହେଉଥିବା ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିପାରିନି । କୁହାଯାଉଥିଲା, ଏଥର ଏହି ରେକର୍ଡ ଭାଙ୍ଗିବ । ତେବେ ଆଇଏମଡିର ଆକଳନ ଅନୁସାରେ ଏହି ରେକର୍ଡ ପୂର୍ବଭଳି ଅତୁଟ ରହିବ ।