ଭାରତୀୟ ସାମ୍ବାଦିକତାରେ ଜାନୁଆରୀ ୨୯

110

ଭାରତୀୟ ସାମ୍ବାଦିକତା ତଥା ସମ୍ବାଦପତ୍ର ଦୁନିଆରେ ଜାନୁଆରୀ ୨୯ର ସ୍ଥାନ ସର୍ବଦା ସ୍ୱତନ୍ତ୍ର । କାରଣ ଏହିଦିନ ୧୭୮୦ ମସିହାରେ ପ୍ରକାଶିତ ହୋଇଥିଲା ଭାରତ ତଥା ଏସିଆ ମହାଦେଶର ପ୍ରଥମ ମୁଦ୍ରିତ ସମ୍ବାଦପତ୍ର ବେଙ୍ଗଲ ଗେଜେଟ୍ । ଯାହାର ଅନ୍ୟନାମ ଥିଲା କାଲକାଟା ଜେନେରାଲ୍ ଆଡଭେଟାଇଜର । ସେତେବେଳର ରାଜଧାନୀ କଲିକତାରୁ ଜେମସ୍ ଅଗଷ୍ଟସ୍ ହିକି ନାମଧାରୀ ଜଣେ ଇରିସ ବ୍ୟକ୍ତିଙ୍କ ଦ୍ୱାରା ଏହାର ପ୍ରକାଶନ ଆରମ୍ଭ ହୋଇଥିଲା । ସେତେବେଳେ ପ୍ରଥମ କରି ମୁଦ୍ରିତ ହୋଇଥିବା ଏହି ସମ୍ବାଦପତ୍ର ବେଶ ଲୋକପ୍ରିୟ ତଥା ପ୍ରଭାବୀ ହୋଇପାରିଥିଲା । ଏହା ଏକ ସାପ୍ତାହିକ ସମ୍ବାଦପତ୍ର ଥିଲା  ଏବଂ ପ୍ରତ୍ୟେକ ଶନିବାର ପ୍ରକାଶିତ ହେଉଥିଲା ।

ଏହାର ପ୍ରକାଶକ ଏବଂ ସମ୍ପାଦକ ଜେମସ୍ ଅଗଷ୍ଟସ୍ ହିକି ଏହି ସମ୍ବାଦପତ୍ରକୁ ପ୍ରଥମେ ଏକ ନିରପେକ୍ଷ  ଏବଂ ଉନ୍ମୁକ୍ତ ଖବର କାଗଜ ଭାବେ ପ୍ରକାଶିତ କରିଥିଲେ । ଏହାହିଁ ଏହାର ପ୍ରମୁଖ ସମ୍ପାଦକୀୟ ନୀତି ଥିଲା । କିନ୍ତୁ ଧିରେ ଧିରେ ବେଙ୍ଗଲ ଗେଜେଟ୍ର ପ୍ରତିଦ୍ୱନ୍ଦୀ ସୃଷ୍ଟି ହେବାରେ ଲାଗିଲେ । ବିଶେଷକରି ଇଂରେଜ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନି ବିରୁଦ୍ଧରେ ବିଭିନ୍ନ ଖବର ପ୍ରକାଶିତ ହେଉଥିବାରୁ ଇଂରେଜ ସରକାର ଏଥିପ୍ରତି ଆକ୍ରୋଶମୂଳକ ଆଭିମୁଖ୍ୟ ଓ ଆଚରଣ ପ୍ରଦର୍ଶନ କଲେ । ଏମିତିକି ହିକିଙ୍କ ବେଙ୍ଗଲ ଗେଜେଟର ବଢୁଥିବା ଲୋକପ୍ରିୟତାକୁ ହ୍ରାସ କରିବାକୁ ଯୋଜନା କରି ଇଣ୍ଡିଆ କମ୍ପାନି ସହ ସମ୍ପୃକ୍ତ କିଛି ବ୍ୟକ୍ତି ଇଣ୍ଡିଆ ଗେଜେଟ୍ ନାମରେ ଏକ ପ୍ରତିଦ୍ୱନ୍ଦୀ ସମ୍ବାଦପତ୍ରର ପ୍ରକାଶନକୁ ସମର୍ଥନ ଦେଲେ ।

ଏହି ଘଟଣା ଜେମସ୍ ଅଗଷ୍ଟସ୍ ହିକିଙ୍କୁ ତାଙ୍କ ସମ୍ପାଦକୀୟ ନୀତିକୁ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା । କିଛି ସୂତ୍ରରୁ ଜଣାପଡେ ଯେ ସେତେବେଳର ଗଭର୍ଣ୍ଣର ଜେନେରାଲ ୱାରେନ୍ ହେଷ୍ଟିଙ୍ଗସଙ୍କ ପତ୍ନୀ ମାରିଆନ୍ ହେଷ୍ଟିଙ୍ଗସ୍ ହିକିଙ୍କ କାର୍ଯ୍ୟାଳୟରେ ଖୁସି ନଥିବାରୁ ଇଷ୍ଟ ଇଣ୍ଡିଆ କମ୍ପାନିର କିଛି କର୍ମଚାରୀ ଇଣ୍ଡିଆ ଗେଜେଟକୁ ଖୋଲାଖୋଲି ସମର୍ଥନ କରୁଥିଲେ । ଏଥିପାଇଁ ସାଇମନ୍ ଡ୍ରୋଜ୍ ବୋଲି ଜଣେ ବ୍ରିଟିଶ କର୍ମଚାରୀଙ୍କ ଉପରେ ହିକି ଦୋଷାରୋପ କରିଥିଲେ ।

ଏହାର ଜବାବରେ ୱାରେନ୍ ହେଷ୍ଟିଙ୍ଗସଙ୍କ ନିର୍ଦ୍ଦେଶରେ ବ୍ରିଟିଶ ପ୍ରଶାସନ ବେଙ୍ଗଲ ଗେଜେଟର ଡାକ ସରବରାହ ଉପରେ ଅଙ୍କୁଶ ଲଗାଇଥିଲେ । ନଭେମ୍ବର ୧୭୮୦ରେ ଇଣ୍ଡିଆ ଗେଜେଟ୍ ପ୍ରକାଶିତ ହେବା ସହିତ ହିକି ତାଙ୍କ ସମ୍ବାଦପତ୍ରର ନାମ କୋଲକାତା ଜେନେରାଲ ଆଡଭାଟାଇଜରକୁ ବଦଳାଇଦେଲେ । ସେ ଲୋକମାନଙ୍କୁ ଏହାଦ୍ୱାରା ଜଣାଇବାକୁ ଚାହିଁଥିଲେ ଯେ ବେଙ୍ଗଲ ଗେଜେଟ୍ ହେଉଛି ପ୍ରଥମ ସମ୍ବାଦପତ୍ର । ପରବର୍ତ୍ତୀ ସମୟରେ ହିକି-ହେଷ୍ଟିଙ୍ଗସ୍ ବିବାଦ ତୀବ୍ର ରୂପ ନେଇଥିଲା । ହିକି ହେଷ୍ଟିଙ୍ଗସଙ୍କ ଉପରେ ବାରମ୍ବାର ଅଭିବ୍ୟକ୍ତିର ସ୍ୱାଧୀନତାକୁ ଦବାଇବା ତଥା ଦୁର୍ନୀତି ଓ ଚାରିତ୍ରିକ ସ୍ଖଳନର ଆରୋପ ଲଗାଇଥିଲେ । ସେ ମଧ୍ୟ ବ୍ରିଟିଶ ପ୍ରଶାସନରର ଅନେକ ବଡ ପଦବୀରେ ଥିବା ଅଫିସରଙ୍କୁ ସମାଲୋଚନା କରିବା ସହିତ କିଛି ବିଚାରପତିଙ୍କ ଉପରେ ଦୁର୍ନୀତିର ସଙ୍ଗୀନ ଆରୋପ ଲଗାଇଥିଲେ ।

ଏହାପରେ ହିକିଙ୍ଗୁ ଜେଲ ଯିବାକୁ ପଡିଥିଲା । ହିକି ଜେଲରେ ଥାଇ ମଧ୍ୟ ଏହାର ପ୍ରକାଶନ ଜାରି ରଖିଥିଲେ  ଏବଂ ହେଷ୍ଟିଙ୍ଗସ୍ ତଥା ଇଷ୍ଟ ଇଣ୍ଡିଆ  କମ୍ପାନି ବିରୋଧରେ ଜନମତ ସୃଷ୍ଟି କରିବାରେ ଲାଗିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ବ୍ରିଟିଶ ପ୍ରଶାସନ ତାଙ୍କ ପ୍ରିଣ୍ଟିଙ୍ଗ୍ ପ୍ରେସକୁ ଜବତ କରିବା ସହ ଏହାକୁ ନିଲାମ କରି ଇଣ୍ଡିଆ ଗେଜେଟକୁ ବିକି ଦେଇଥିଲେ । ଯାହା ଫଳରେ ୩୦ ମାର୍ଚ୍ଚ ୧୭୮୨ ମସିହାରେ ହିକିଙ୍କ ବେଙ୍ଗଲ ଗେଜେଟର ପ୍ରକାଶନ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ।

ଖୁବକମ୍ ଆୟୁଷ ଥିବା ଭାରତର ଏହି ପ୍ରଥମ ମୁଦ୍ରିତ ସମ୍ବାଦପତ୍ରର ପ୍ରଭାବ କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ରହିଥିଲା । ଭାରତୀୟମାନଙ୍କୁ ନିଜର ସମ୍ବାଦପତ୍ର ମୁଦ୍ରିତ କରିବା ଦିଗରେ ପ୍ରେରିତ କରିଥିଲା । ନିଜର ଏହି ସ୍ୱଳ୍ପ ଅବଧି ମଧ୍ୟରେ ଏହା ସାମ୍ବାଦିକତାର ଅନେକ ନୂତନ ଧାରାକୁ ଜନ୍ମ ଦେଇ ପାରିଥିଲା । ସାମ୍ବାଦିକତାରେ ଆଲୋଚନା, ସମାଲୋଚନା, କଟାକ୍ଷ, ଅନୁସନ୍ଧାନ, ଜନମତ ସୃଷ୍ଟି ତଥା ଉନ୍ମୁକ୍ତ ଚର୍ଚ୍ଚା ଭଳି ଅନେକ ଆଧୁନିକ ଧାରା ସୃଷ୍ଟି କରିବାରେ ଏହି ସମ୍ବାଦପତ୍ର ସଫଳ ହୋଇପାରିଥିଲା ବୋଲି କହିଲେ ଭୁଲ୍ ହେବନାହିଁ ।

(ଏହି ସମ୍ପାଦକୀୟ ଲେଖକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଦେବୀଲାଲ ମିଶ୍ରଙ୍କ ନିଜସ୍ୱ ମତ)