ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣ ଜନ୍ମଦିନ: ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ୫ ଘଂଟା ବନ୍ଦ ରହିବ ସାଧାରଣ ଦର୍ଶନ

640

କନକ ବ୍ୟୁରୋ: ଆଜି ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସାରା ଦେଶରେ ପାଳନ କରାଯାଉଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଆଜି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବେ ସେଥିପାଇଁ ମନ୍ଦିର ଗୁଡିକରେ ବିଶେଷ ପୂଜାନୀତିର ଆୟୋଜନ କରାଯାଉଛି । ଜନ୍ମାଷ୍ଟମୀ ପାଇଁ ପୁରୀରେ ସ୍ୱତନ୍ତ୍ର ନୀତିର ଆୟୋଜନ କରାଯାଇଛି । ପରମ୍ପରା ଅନୁସାରେ ସଂଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶରେ ଜନ୍ମଚକଡାରେ ଶ୍ରୀକୃଷ୍ଣଙ୍କୁ ଜନ୍ମନୀତି ସଂପନ୍ନ କରିବେ ।

ଏହାସହ ଆଜି ପୁରୀ ସହରର ବିଭିନ୍ନ ମଠମାନଙ୍କରେ ଭଜନ କୀର୍ତ୍ତନ କରାଯାଇ ଭକ୍ତମାନେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବ୍ରତ ପାଳନ କରୁଛନ୍ତି । ସେପଟେ ପୁରୀର ଗୌଡିୟ ମଠଗୁଡିକରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ ଧାମଧାମରେ ପାଳନ କରାଯାଉଛି । ଏହା ସହିତ ମଠ ମନ୍ଦିର ଓ ଘରଗୁଡିକରେ ଖୁବ ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମ ପାଳନ କରିବାକୁ ଶେଷ ହୋଇଛି ପ୍ରସ୍ତୁତି ।

ଏପଟେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ସଂପୂର୍ଣ୍ଣ ନୀତିକାନ୍ତିରେ କୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି । ଶହ ଶହ ଶ୍ରଦ୍ଧାଳୁ ଇସ୍କନ ମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଅବକାଶ ଆଦି ନୀତି ସଂପନ୍ନ ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସଂଧ୍ୟା ଧୂପ ପରେ ଶ୍ରୀଜୀଉଙ୍କ ଜନ୍ମାଷ୍ଟମୀ ନୀତି ପାଳିତ ହେବ । ଏହି ସମୟରେ ଠାକୁରଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଗଣ୍ଡୁଷ କୋରା ଲାଗି କରାଯିବ । \n