କାଶ୍ମୀର ଆତଙ୍କବାଦୀଙ୍କ ପାଇଁ ଯୋଗାଡ କରୁଥିଲା ଅର୍ଥ । ଦିଲ୍ଲୀରୁ ଗିରଫ ହେଲା ହାୱାଲା ଏଜେଣ୍ଟ

137

କନକ ବ୍ୟୁରୋ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ଜମ୍ମୁ-କାଶ୍ମୀର ପୋଲିସର ଏକ ମିଳିତ ଅଭିଯାନରେ ଦିଲ୍ଲୀର ତୁର୍କମାନ ଗେଟ ନିକଟରୁ ଜଣେ ହାୱାଲା ଏଜେଣ୍ଟଙ୍କୁ ଗିରଫ କରାଯାଇଛି । ଏହି ଏଜେଣ୍ଟ ଜଣଙ୍କ ଲସ୍କର ଓ ଅଲ ବଦ୍ର ଭଳି ଆତଙ୍କୀ ସଂଗଠନ ପାଇଁ ହାୱାଲା ମାଧ୍ୟମରେ ଟଙ୍କା ଯୋଗାଉ ଥିବା କଥା କୁହାଯାଇଛି । ମହମ୍ମଦ ୟାସୀନ ନାମକ ଏହି ହାୱାଲା ଏଜେଣ୍ଟ ଜଣଙ୍କ କାଶ୍ମୀରର ଏକ ଆତଙ୍କବାଦୀକୁ ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଛି ।

କୁହାଯାଇଛି କି, ଦିଲ୍ଲୀ ପୋଲିସକୁ କେନ୍ଦ୍ର ଏଜେନ୍ସି ତରଫରୁ ସୂଚନା ମିଳିଥିଲା କି ମୀନା ବଜାରରୁ କେହି ଜଣେ ହାୱାଲା ଏଜେଣ୍ଟ କାମ କରୁଛି । ଏହି ଏଜେଣ୍ଟ ଜଣଙ୍କ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ କରୁଛି । ଏହି ସୂଚନା ଆଧାରରେ ଏକ ଟିମ୍ ଗଠନ କରାଯାଇଥିଲା ଓ ଶୁକ୍ରବାର ଦିନ ମହମ୍ମଦ ୟାସୀନକୁ ଦିଲ୍ଲୀର ତୁର୍କମାନ ଗେଟ ନିକଟରୁ ଗିରଫ କରାଯାଇଛି ।

ମହମ୍ମଦ ୟାସୀନକୁ ଜେରା ବେଳେ ଜଣାପଡିଛି କି ସେ ପେଶାରେ ଜଣେ କପଡା ବେପାରୀ । ସେ ମୀନା ବଜାରରୁ ନିଜର କାମ କରିଥାନ୍ତି । ହେଲେ ଏହି କପଡା ବ୍ୟବସାୟ କେବଳ ଦୁନିଆକୁ ଦେଖାଇବାକୁ କରାଯାଉଥିଲା । ପ୍ରକୃତରେ ବିଦେଶରୁ ଆସୁଥିବା ଟଙ୍କାକୁ ଜମ୍ମୁ-କାଶ୍ମୀରରେ କାମ କରୁଥିବା ଆତଙ୍କୀ ସଂଗଠନ ନିକଟକୁ ପଠାଇବା ହେଉଛି ୟାସୀନଙ୍କର ମୁଖ୍ୟ କାମ ଥିଲା । ପଚରାଉଚରା ବେଳେ ମହମ୍ମଦ କହିଛି କି ଟଙ୍କା ଦକ୍ଷୀଣ ଆଫ୍ରିକାରୁ ଭାରତର ସୁରଟ ଓ ମୁମ୍ବାଇକୁ ଆସୁଥିଲା । ଏହାପରେ ଏହାକୁ ଦିଲ୍ଲୀ ବାଟ ଦେଇ ଜମ୍ମୁ-କାଶ୍ମୀରର ଆତଙ୍କବାଦୀଙ୍କ ନିକଟରେ ପହଂଚାଯାଉଥିଲା ।