ଆତଙ୍କବାଦୀଙ୍କୁ ନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ ଅଫର! କହିଲେ, ଅସ୍ତ୍ରଶସ୍ତ୍ର ଛାଡ, ମୋ ସାଙ୍ଗରେ ମଧ୍ୟାହ୍ନ ଭୋଜନ କର ।

229

ଅସ୍ତ୍ରଶସ୍ତ୍ର ଛାଡନ୍ତୁ, ମୋ ସାଙ୍ଗରେ ମଧ୍ୟାହ୍ନ ଭୋଜନ କରନ୍ତୁ । ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଏଭଳି ଆହ୍ୱାନକୁ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ରାଜ୍ୟପାଳ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଛାଡି ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାକୁ ଅପିଲ୍ କରିଛନ୍ତି । ରାଜ୍ୟପାଳ କହିଛନ୍ତି,ସେ ହୁରିୟତ ନେତାଙ୍କୁ ସମ୍ମାନ କରନ୍ତି କିନ୍ତୁ ସେମାନଙ୍କର ଚିନ୍ତାଧାରା ଓ ଉଦ୍ଦେଶ୍ୟ ଗ୍ରହଣୀୟ ନୁହେଁ । ଦିଲ୍ଲୀ ପକ୍ଷରୁ ଭୁଲ ହୋଇଛି ସତ, କିନ୍ତୁ ସ୍ଥାନୀୟ ନେତୃତ୍ୱ ମଧ୍ୟ ଅଧିକ ଦୋଷୀ ଯେଉଁମାନେ ଲୋକଙ୍କୁ ଭୁଲ ବାଟରେ ଯିବାକୁ ପ୍ରବର୍ତ୍ତାଉଛନ୍ତି ।

ଏହାପୂର୍ବରୁ ସତ୍ୟପାଲ ମଲ୍ଲିକ ଜମ୍ମୁ-କାଶ୍ମୀରର ସ୍ଥିତି ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆଲୋଚନା କରିବା ସହ ଜଣାଇଥିଲେ । ଏପରିକି ଜମ୍ମୁ-କାଶ୍ମୀରର ସ୍ଥ୍ିତି ପୂର୍ବପେକ୍ଷା ବଦଳୁଥିବା ସେ ଜଣାଇଥିଲେ । ରାଜ୍ୟରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଓ ଆତଙ୍କବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଯାଉଥିବା କହିଥିଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଏହାଦ୍ୱାରା କାଶ୍ମୀର ଘାଟିରେ ଶାନ୍ତି ଫେରାଇ ଅଣାଯାଇପାରିବ ।

ରାଜ୍ୟପାଳଙ୍କ ଏଭଳି ଅପିଲ ପରେ ମଧ୍ୟ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ । ପ୍ରତିଦିନ କେଉଁଠି ନା କେଉଁଠି ଆତଙ୍କୀ ହମଲାର ଖବର ସାମ୍ନାକୁ ଆସୁଛି । ଆଉ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଏହାର କଡ ଜବାବ ଦିଆଯାଉଛି ।