ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ପାଇଁ ରହିବ ଆସନ ସଂରକ୍ଷଣ । ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରା

161

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ନେଇ ପ୍ରସ୍ତୁତି ଚାଲିଛି । ସୀମା ପୁନଃନିର୍ଦ୍ଧାରଣ ଆୟୋଗ ଏବେ ଜମ୍ମୁ-କାଶ୍ମୀରରେ ଅଛନ୍ତି । ଶୁକ୍ରବାର ଦିନ ସୀମା ପୁନଃନିର୍ଦ୍ଧାରଣ ଆୟୋଗ ଜମ୍ମୁ ଗସ୍ତ କରିଛନ୍ତି । ଏହି କ୍ରମରେ ମୁଖ୍ୟ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ପ୍ରଥମଥର ପାଇଁ ଜମ୍ମୁ-କାଶ୍ମୀରରେ ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ ।

ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଶିଲ ଚନ୍ଦ୍ରା କହିଛନ୍ତି କି, ସେ ଜମ୍ମୁ-କାଶ୍ମୀରର ସବୁ ଜିଲ୍ଲା ଅଧିକାରୀଙ୍କୁ ଭେଟିଛନ୍ତି । ସବୁ ଜିଲ୍ଲା ଅଧିକାରୀ କିଛି ମହତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । କହିରଖୁ କି ୧୯୯୫ ମସିହାରେ ଜମ୍ମୁ-କାଶ୍ମୀରରେ ମୋଟ ୧୨ ଟି ଜିଲ୍ଲା ଥିବା ବେଳେ ଏବେ ଜିଲ୍ଲା ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ଏହାସହ ତହସିଲ ସଂଖ୍ୟା ବି ବଢିଛି ।

ସୁଶିଲ ଚନ୍ଦ୍ରା କହିଛନ୍ତି କି ଆଶା କରାଯାଉଛି ମାର୍ଚ୍ଚ ୨୦୨୨ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ । ଏହାସହ ୨୦୧୧ ଜନସଂଖ୍ୟା ତୁଳନାରେ ସୀମା ପୁନଃନିର୍ଦ୍ଧାରଣ କରାଯାଉଥିବା କଥା ସେ କହିଛନ୍ତି । ଏହାସହ ଜମ୍ମୁ-କାଶ୍ମୀରରେ ଥିବା ମୋଟ ବିଧାନସଭା ଆସନ ସହିତ ଏବେ ୭ ଟି ଆସନ ଯୋଡିବାକୁ ପ୍ରକ୍ରିୟା ଚାଲିଛି ଓ ଏସ.ଟି କାଟାଗୋରୀ ପାଇଁ ବି ଆସନ ସଂରକ୍ଷିତ କରାଯିବା ଉପରେ ବିଚାର କରୁଛି ସୀମା ପୁନଃନିର୍ଦ୍ଧାରଣ ଆୟୋଗ । ଏହାସହ ପାକ୍ ଅଧିକୃତ କାଶ୍ମୀର (ପିଓକେ) ପାଇଁ ଅଲଗା ୨୪ ଟି ଆସନ ରହିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

ଅନ୍ୟପଟେ ସୁଶିଲ ଚନ୍ଦ୍ରା କହିଛନ୍ତି କି ସେ ଜମ୍ମୁ-କାଶ୍ମୀରର ମୁଖ୍ୟ ସଚିବଙ୍କୁ ଭେଟି ସୀମା ପୁନଃନିର୍ଦ୍ଧାରଣ ଆୟୋଗ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି ।