ଯାଜପୁରର ବାପା, ପୁଅ କଳିରେ ପୂର୍ଣ୍ଣଚ୍ଛେଦ। କନକ ନ୍ୟୁଜ ବିତର୍କରେ କ୍ଷମା ମାଗିଲେ ପୁଅ। ବାପା କହିଲେ, ସର୍ତ୍ତରେ ରାଜି ହେଲେ ପୁଅ ସହ ରହିବି

କହିଲେ, ପୁଅ ଯଦି ବାପାକୁ ଉଚିତ ମର୍ଯ୍ୟାଦା ଦେବେ ତେବେ ଫେରିବାର ଅପାତ୍ତି ନାହିଁ; ପୁଅକୁ ଦେଇଦେବି ସବୁ ସଂପତି

1,804

କନକ ବ୍ୟୁରୋ: ଶେଷରେ କନକ ନ୍ୟୁଜ ବିତର୍କରେ ସଫଳ ହେଲା ପ୍ରୟାସ । ଯାଜପୁରରେ ବାପା, ପୁଅ କଳିରେ ପଡିଲା ପୂର୍ଣ୍ଣଚ୍ଛେଦ । କନକ ନ୍ୟୁଜ ବିତର୍କରେ ବାପାଙ୍କୁ କ୍ଷମା ମାଗିଲେ ପୁଅ । ଆଉ ପୁଅ ସହିତ ଏକାଠି ରହିବାକୁ ରାଜି ହେଲେ ବାପା । ଏପରିକି ପୁଅ ସୂର୍ଯ୍ୟମଣୀ ମିଶ୍ର କହିଛନ୍ତି, ସେ ଯଦି କିଛି ଭୁଲ କରିଥାନ୍ତି ସେଥିପାଇଁ ତାଙ୍କୁ ବାପା କ୍ଷମା କରିଦିଅନ୍ତୁ । ହାତଯୋଡି କ୍ୟାମେରା ଆଗରେ ବାପାଙ୍କୁ ଭୁଲ ମାଗିଛନ୍ତି ପୁଅ ।

 

ସେପଟେ ଜିଲ୍ଲାପାଳଙ୍କ ଆଗରେ ନିର୍ଯ୍ୟାତନା ଦେବେନି ବୋଲି ଲିଖିତ ପ୍ରତିଶ୍ରୁତି ଦେବା ସହ ଯଦି ପୁଅ ସୂର୍ଯ୍ୟମଣୀ ମିଶ୍ର ଓ ବୋହୂ ତାଙ୍କୁ ସସମ୍ମାନ ନିଅନ୍ତି ତେବେ ଘରକୁ ଫେରିବେ ବୋଲି କହିଛନ୍ତି ବାପା କ୍ଷେତ୍ରମୋହନ ମିଶ୍ର । ପୁଅ ବୋହୁ ନ ପଚାରିବାରୁ ଯାଜପୁର ମୁରଲିପୁର ଗାଁର କ୍ଷେତ୍ରମୋହନ ମିଶ୍ର ନିଜର ସମସ୍ତ ସଂପତି ସରକାରଙ୍କୁ ଦାନ କରିବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ପୁଅ-ବୋହୂ ତାଙ୍କୁ ନିର୍ଯାତନା ଦେଉଛନ୍ତି, ତେଣୁ ସେ ତାଙ୍କ ସଂପତିର ହକଦାର ନୁହଁନ୍ତି, ସେ ତାଙ୍କ ସଂପତି ସରକାରଙ୍କୁ ଦାନ ବି କରିିଦେଇଛନ୍ତି ବୋଲି କହିଥିଲେ କ୍ଷେତ୍ରମୋହନ ମିଶ୍ର । ଯବାବରେ ପୁଅ ମଧ୍ୟ ଯୁକ୍ତି ରଖିଥିଲେ । ହେଲେ ଆଜି ଏହି ବିବାଦର ଅନ୍ତ ଘଟିଛି । କ୍ଷମା ପ୍ରାର୍ଥନା କରିବା ସହିତ ବାପାଙ୍କୁ ଆପଣେଇବା ପାଇଁ କ୍ୟାମେରା ଆଗରେ କହିଛନ୍ତି ପୁଅ । ସମ୍ପତିକୁ ନେଇ ବିବାଦ ଆଉ ବିବାଦରୁ ସମାଧାନର ବାହାରିଛି ସୁତ୍ର । ଏସବୁ ସମ୍ଭବ ହୋଇଛି କନକ ନ୍ୟୁଜର ବିତର୍କରେ ।