ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ବୃତ୍ତି ଟଙ୍କା ପାଇଁ ଆସିଥିବା ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଗଲେ କଲେଜ ଛାତ୍ରୀ; ୪ ଅଭିଯୁକ୍ତ ଗିରଫ

କୋର୍ଟରେ ହାଜର ପରେ ଗଲେ ଜେଲ

309

କନକ ବ୍ୟୁରୋ : ଯାଜପୁର କଲରଙ୍ଗୀ ଖଣି ଅଂଚଳରେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ । ବୃତ୍ତି ଟଙ୍କା ଆଣିବାକୁ ଯାଇଥିବାବେଳେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି ୪ ଜଣ । ମହିଳା ଦିବସ ପୂର୍ବ ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ହେଲେ ସାଂଘାତିକ କଥା ହେଉଛି ମୁଖ୍ୟ ଅଭିଯୁକ୍ତ ଜଣକ ଓଡିଶା ପୋଲିସର ଓଆଇଏସଏଫ କାଳିଆପାଣି ୟୁନିଟରେ ରୋଷେୟା ଭାବେ କାମ କରୁଥିଲେ । ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପୃଷ୍ଟି ସମେତ ରବି, ସିଲୁ ଓ ବବଲୁକୁ ଗିରଫ କରାଯାଇଛି । ଦୁର୍ବୃତ୍ତଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ନାବାଳିକା ଜଣକ ଉଲଗ୍ନ ଅବସ୍ଥାରେ ଦୌଡି ଦୌଡି ଜଣେ ଗୃହର କ୍ଷୀଙ୍କ ଘରେ ସରଣ ନେଇଥିଲେ ।

କଳିଙ୍ଗନଗର ଥାନା ଏକ ଗାଁର ଏହି ପୀଡ଼ିତା ଗତକାଲି ତାଙ୍କ ବୃତ୍ତି ଅର୍ଥ ପାଇବା ଆଶାରେ ପୁରୁଷ ସହପାଠୀଙ୍କ ସହ ବ୍ରାହ୍ମଣୀପାଳ ଯାଇଥିଲେ। ସେଠାରୁ ଫେରି ଦୁହେଁ ଡୁବୁରି ଆସିଥିଲେ । ଡୁବୁରିରୁ ବସ୍‌ ଯୋଗେ ଉଭୟ କାଳିଆପାଣି ପହଞ୍ଚିଲାବେଳକୁ ରାତି ୮ଟା ହୋଇ ଯାଇଥିଲା। ଦୁହେଁ ବଜାରରୁ ପୋଷାକ କିଣାକିଣି କରି ଟାଟା ମେନଗେଟ୍‌ ସମ୍ମୁଖ ଏକ ଜଳଖିଆ ଦୋକାନରେ ରାତ୍ର‌ ଭୋଜନ କରିଥିଲେ। ଏଠୁ ପାଖାପାଖି ୪ କିଲୋମିଟର ଦୂର କଲରଙ୍ଗି ଗାଁର ପୁରୁଷ ସହପାଠୀଙ୍କ ଘରକୁ ଚାଲିଚାଲି ବାହାରିଥିଲେ। ବଜାର‌ରେ ବୁଲୁଥିବା ବେଳେ ସେମାନଙ୍କ ଗତିବିଧିକୁ ରବି ଓ ବବୁଲୁ ଅନୁଧ୍ୟାନ କରିଥିଲେ। ଅଭିଯୁକ୍ତମାନେ ଡକାଡକି ହୋଇ ପୀଡ଼ିତା ଓ ତାଙ୍କ ସହପାଠୀଙ୍କୁ ପିଛା କରିଥିଲେ । କଲରଙ୍ଗି ଢାବା ଛକ ପୂର୍ବରୁ ବନ୍ଦ ପଡ଼ିଥିବା ଓଏମ୍‌ସି କଲରଙ୍ଗି କ୍ରୋମାଇଟ୍‌ ଖଣି ମଧ୍ୟସ୍ଥ ପାଦଚଲା ରାସ୍ତାରେ ଅଭିଯୁକ୍ତମାନେ ସେମାନଙ୍କ ବାଟ ଓଗାଳିଥିଲେ ।

ସନ୍ତୋଷ ପ୍ରଥମେ ପୀଡ଼ିତାଙ୍କୁ ଦୁର୍ବ୍ୟବହାର କରିଥିଲା । ଏହି ସମୟରେ ସହପାଠୀ ଜଣକ ‌ସନ୍ତୋଷକୁ ଠେଲି ଦେଇଥିଲେ । ଏହାପରେ ଅଭିଯୁକ୍ତ ରବି ଓ ସିଲୁ ସହପାଠୀଙ୍କ ମୋବାଇଲ୍‌ ଛଡ଼ାଇ ନେଇ ତାଙ୍କୁ କାବୁ କରିଥିଲେ । ଅନ୍ୟ ୨ ଜଣ ପୀଡ଼ିତାଙ୍କୁ ଜଙ୍ଗଲ ଆଡ଼କୁ ଟେକି ନେଇଥିଲେ । ସନ୍ତୋଷ ପ୍ରଥମେ ଦୁଷ୍କର୍ମ କରିଥିଲା । ପରେ ସମସ୍ତ କାମାନ୍ଧ ପାଳିକରି ଏଥି‌ରେ ସାମିଲ ହୋଇଥିଲେ। ଏହା ପରେ ୪ ଜଣଯାକ ଏକ ସାଇକଲ୍‌ ମଗାଇ ପୀଡ଼ିତାଙ୍କୁ ମହ୍ଲାରସାହିସ୍ଥିତ ଏକ ଘରକୁ ନେବାକୁ ଯୋଜନା କରିଥିଲେ। ପ୍ରଥମେ ଇଜ୍ଜତ ଓ ପରେ ନିଜ ଜୀବନ ରକ୍ଷା ପାଇଁ ସେ କାକୁତି ମିନତି ହୋଇଥିଲେ । ମାତ୍ର, କାକୁତିମିନତି ହୋଇଥିଲେ ମଧ୍ୟ ଅପରାଧୀଙ୍କ ଉପରେ ଏହାର ସାମାନ୍ୟତମ ପ୍ରଭାବ ପଡ଼ିନଥିଲା ।

ପୁରୁଷ ସହପାଠୀ ଜଣକ ପାଖରେ କର୍ତ୍ତବ୍ୟରତ ନିଜ ଗାଁର ଜଣେ ନିରାପତ୍ତାରକ୍ଷୀଙ୍କୁ ସହାୟତା ମାଗିଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା। ଏହି ସମୟରେ ପୀଡ଼ିତାଙ୍କ ଫୋନକୁ ଏକ କଲ୍‌ ଆସିଥିଲା । ପୀଡ଼ିତା ଫୋନ୍‌ ରିସିଭ୍‌ କରିବା ନାଁରେ ଭ୍ୟାନିଟି ବ୍ୟାଗ୍‌ ଓ ଫୋନ୍ ଛାଡ଼ି ଘଟଣାସ୍ଥଳରୁ ଉଠି ଦୌଡ଼ିଥିଲେ । ପୀଡ଼ିତା ଛାତ୍ରୀ କୌଣସି ପ୍ରକାରେ ଅଭିଯୁକ୍ତକୁ ଠେଲି ଦୌଡ଼ି ଜଣେ ମହିଳା ଗୃହରକ୍ଷୀଙ୍କ ଘରେ ପଶି ଯାଇଥିଲେ । ପୀଡ଼ିତାଙ୍କ ଅବସ୍ଥା ଦେଖି ଗୃହରକ୍ଷୀ ଜଣକ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ। ଥାନାକୁ ଖବର କରିଥିଲେ । ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଏସ୍ଆଇ ବିଭୂତି ଭୂଷଣ ମହାପାତ୍ର ଓ ମନୋରଞ୍ଜନ ସେଠୀ ସଦଳବଳ ତୁରନ୍ତ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ।