ଝରାଫୁଲ ମୃତ୍ୟୁ ମାମଲାରେ ଏବେ ବି ଯାଜପୁର ପୋଲିସ ହାତରେ ଲାଗୁନି ତଥ୍ୟ । କହୁଛନ୍ତି , ତଦନ୍ତ ଚାଲିଛି …

124

କନକ ବ୍ୟୁରୋ: ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଓ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ । ନିକଟରେ ଏହି ଦୁଇଟି ଅପରାଧ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଗୋଟିଏ ପଟେ ମୁଣ୍ଡ ନଥିବା ଶରୀରକୁ ଚିହ୍ନଟ କରି ଅପରାଧୀକୁ ଧରିବା ବଡ ଚ୍ୟାଲେଂଜ ଥିଲା । ଆଉ ଗୋଟିଏ ପଟେ ଅପରାଧୀ ପାଖରେ ଅଛି, ତାଠାରୁ ସତ ଉଗାଳିବା, ମୁଖ୍ୟ କାମ ଥିଲା । କିନ୍ତୁ ଓଲଟା ହେଲା । କଟାମୁଣ୍ଡ କାହାଣୀର ପର୍ଦ୍ଦାଫାସ ହେଲା , ହେଲେ ଝରାଫୁଲ କାହାଣୀ ଏବେ ବି ରହସ୍ୟ ଘେରରେ ।

ଏହି ଘଟଣାରେ ଯାଜପୁର ପୁଲିସର ନେତୃତ୍ୱ ନେଉଛନ୍ତି ରାହୁଳ ପିଆର ଏବଂ ଝରାଫୁଲ ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ ତଥା ଏସଡିପିଓ ଚିନ୍ମୟ ନାୟକ , କିନ୍ତୁ ଫଳଘର ଶୂନ । ଚିନ୍ମୟ ନାୟକ ଗତ ୧୮ ଦିନ ହେଲାଣି ତଦନ୍ତ କଲେଣି । ପାଖରେ ମୁଖ୍ୟ ଅଭିଯୁକ୍ତ ବି ଅଛି । କିନ୍ତୁ ଝରାଫୁଲକୁ କିଏ ଓ କାହିଁକି ମାରିଲା, ପଚାରିଲେ କହନ୍ତି ତଦନ୍ତ ଚାଲିଛି ।

ଗତ ଜାନୁଆରୀ ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ହୋଟେଲରେ ଏକୁଟିଆ ଝରାଫୁଲ ଓ ରାକେଶ ଥିଲେ । ସକାଳୁ ମୃତ ଦେହକୁ ଧରି ଶହେ କିଲୋମିଟର ଦୂରରେ ଯାଜପୁରରେ ଫିଙ୍ଗିଦେଲା ରାକେଶ । ରାକେଶ ତ ଧରାପଡିଲା, କିନ୍ତୁ ତାସହ ପୁଲିସର ଅପାରଗତା ବି ଧରାପଡିଲା । ଝରାଫୁଲ ମାମଲାରେ ପୁଲିସ ପାଖରେ ଅଭିଯୁକ୍ତ ଅଛି, ମୃତ ଝରାଫୁଲର ପୋଷ୍ଟମର୍ଟମ ରିପୋର୍ଟ ଅଛି, ଭିସେରା ରିପୋର୍ଟ ବି ଅଛି, ମୋବାଇଲ ଅଛି, କଲ୍ ରେକର୍ଡ ଅଛି.. ସବୁ ଅଛି । କିନ୍ତୁ ପୋଲିସ ପାଖରେ ତଥ୍ୟ ନାହିଁ । ଏଭଳି ପରିସ୍ଥିତିରେ ମାମଲା କମିଶନରେଟ୍ ପୁଲିସକୁ ହସ୍ତାନ୍ତର କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।