ଯାଜପୁର ନିଆଳି ଗାଁର ଦୀପଜ୍ୟୋତି ହତ୍ୟା ଘଟଣାରେ ନିରବଦ୍ରଷ୍ଟା ପୁଲିସ ! ନ୍ୟାୟ ଅପେକ୍ଷାରେ ବାପା, ମା

32

କନକ ବ୍ୟୁରୋ : ନ୍ୟାୟ ଅପେକ୍ଷାରେ ବାପା, ମା । ପୁଅ ହତ୍ୟାକୁ ବିତି ଯାଇଛି ୬ମାସ । ହେଲେ ଏବେବି ଖୋଲା ବୁଲୁଛନ୍ତି ହତ୍ୟାକାରୀ । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ନିଆଳି ଗାଁର ଦୀପଜ୍ୟୋତି ହତ୍ୟା ଘଟଣାରେ ପୋଲିସ ପାଖକୁ ଦୌଡି ଦୌଡି ନୟାନ୍ତ ପରିବାର । ଏପରିକି ଏହି ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସମ୍ପୃକ୍ତି ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକେ । ନ୍ୟାୟ ନପାଇଲେ ନବୀନ ନିବାସ ଆଗରେ ଆତ୍ମାହୁତି ଦେବା ପାଇଁ ପରିବାର ଦେଇଛନ୍ତି ଚେତାବନୀ ।

ପୁଅ ହତ୍ୟାକୁ ୬ମାସ ବିତିଲାଣି । ହେଲେ ଏବେବି ପୁଲିସର ହାତ ଖାଲି । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନା ନିଆଳି ଗାଁର ଦୀପଜ୍ୟୋତି ଝା । ଗତବର୍ଷ ଜୁନ୍ ୨ତାରିଖ ଦିନ ଦୀପଜ୍ୟୋତି ଗାଁ ନିକଟସ୍ଥ କେଲୁଅ ନଦୀକୁ ଯାଇ ଆଉ ଫେରିନଥିଲେ । ପରେ ୩ତାରିଖ ସନ୍ଧ୍ୟାରେ କେଲୁଅ ନଦୀରୁ ଦୀପଜ୍ୟୋତିଙ୍କ ମୃତଦେହ ମିଳିଥିଲା । ଏନେଇ ପରିବାର ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇଛି । ନ୍ୟାୟ ପାଇବା ଆଶାରେ ଅଛନ୍ତି ପରିବାରଲୋକେ । କିନ୍ତୁ ଇତିମଧ୍ୟରେ ୬ମାସ ବିତିଯାଇଥିଲେ ବି ତଦନ୍ତ ଆଗକୁ ବଢିନାହିଁ । ପୁଅର ମୃତ୍ୟୁ ନେଇ ମାନସିକ ଚାପରେ ଥିବା ବାପ,ମା ନବୀନ ନିବାସ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଘଟଣା ପ୍ରେମ ସମ୍ପର୍କ କିମ୍ବା ପଂଚାୟତ ନିର୍ବାଚନକୁ କେନ୍ଦ୍ରକରି ହୋଇଥାଇପାରେ ବୋଲି ଦୀପଜ୍ୟୋତିଙ୍କ ବାପା ସନ୍ଦେହ କରୁଛନ୍ତି । ଏସପି, ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି ଏବଂ ଯାଜପୁର ଜିଲ୍ଳାପାଳଙ୍କୁ ବାରମ୍ବାର ଫେରାଦ ହୋଇଥିଲେ ବି ତଦନ୍ତ ଆଗକୁ ବଢିନାହିଁ । ଏହି ହତ୍ୟା ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ତଦନ୍ତ ଠିକ୍ ଚାଲିଥିବା କହିଛନ୍ତି ଯାଜପୁରର ଅତିରିକ୍ତ ଏସପି । ପୁଅକୁ ହରାଇଥିବା ବାପା, ମା ଏବେ ନ୍ୟାୟ ପାଇବା ଆଶାରେ ରହିଛନ୍ତି । ସେପଟେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ହତାଶ ହୋଇପଡିଛନ୍ତି ପରିବାର ।