ଖର୍ଚ୍ଚ ହୋଇ ସାରିଲାଣି କୋଟିଏ ଟଙ୍କା । ହେଲେ ସରୁନି ନଦୀବନ୍ଧରେ ଘାଇ ମରାମତି କାମ ।

139

କନକ ବ୍ୟୁରୋ: ଗତବନ୍ୟାରେ ଭାଙ୍ଗିଥିଲା ମାହାରା ବନ୍ଧ ହେଲେ ଆଜି ଯାଏଁ ଚାଲିଛି ଏହାର ମରାମତି କାମ । ଖାଲି ସେତିକି ନୁହେଁ, ମରାମତି ବାବଦକୁ ୧ କୋଟିରୁ ଅଧିକ ଟଙ୍କା ବ୍ୟୟ ହେଲାଣି । ହେଲେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିସାରିଥିଲେ ମଧ୍ୟ ସରିପାରିଲା ନାହିଁ କାମ । ଆମେ କହୁଛୁ ଯାଜପୁର ଜିଲା ବିଂଝାରପୁର ବ୍ଲକ କାମଦେବ ମାହାରା କଥା । ଗତବର୍ଷ ବନ୍ୟାରେ ବିରାଟ ଘାଈ ସୃଷ୍ଟି ହୋଇ ସେଠାରେ ବ୍ୟାପକ କ୍ଷତି ଘଟାଇଥିଲା । ଏହାପରେ କେନ୍ଦ୍ରୀୟ ଟିମ ପରିଦର୍ଶନରେ ଆସି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାର ମରାମତି ଏଯାବତ ଶେଷ ହୋଇନି । ତେଣୁ ଏଥର ବନ୍ୟା ଆସିଲେ ପୁଣି ବ୍ୟାପକ ନଷ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ନାଉବାଙ୍କ ଗାଁ ପାଖ କାମଦେବ ମାହାରା ନଦୀ ବନ୍ଧରେ ହୋଇଥିବା ଘାଇର ମରାମତି ସହ ଆପ୍ରୋଚ ରୋଡ ତିଆରି କାମ ଚାଲିଛି । ମାଟି ପଡିଛି, ବାଲି ବସ୍ତା ପକାଇ, ପାଣିକୁ ଅଟକା ଯାଇଛି, କଂକ୍ରିଟ ପଡିବା ପାଇଁ ଲୁହାଛଡ ମଧ୍ୟ ବନ୍ଧା ହୋଇଛି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏକ ବର୍ଷ ଭିତରେ କେବଳ ଏତିକି କାମ ହୋଇପାରିଛି । କେବେ ମରାମତି ସଂପୂର୍ଣ୍ଣ ହେବ ତାହା ମଧ୍ୟ ଜଣା ନାହିଁ ।

ଗତ ବର୍ଷ ବନ୍ୟାରେ ଭୁଶୁଡି ପଡିଥିଲା ମାହାରା ନଦୀ ବନ୍ଧ । କେନ୍ଦ୍ରୀୟ ଟିମ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ଘାଇ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାରି ଭିତରେ ବର୍ଷେ ବିତିଗଲାଣି, ଲକ୍ଷ ଲକ୍ଷ ଟଙ୍କା ଜଳସେଚନ ବିଭାଗର ବ୍ୟୟ ହେଉଛି, ଠିକାଦାର ବଦଳୁଛନ୍ତି । କିନ୍ତୁ କାମ ସରୁନାହିଁ । ଏବେ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାରୁ ବନ୍ୟାର ଆଶଙ୍କା ରହିଛି । ବର୍ଷା ଦିନ ପୂର୍ବରୁ ମରାମତି କାମ ସରିନଥିବାରୁ ବାତ୍ୟା ୟାସ ସମୟରେ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଥିଲା । ମରାମତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଜଳସେଚନ ବିଭାଗ । କିନ୍ତୁ ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସରିପାରୁନି ମରାମତି କାର୍ଯ୍ୟ । ପଂଳରେ ସରକାରଙ୍କ ରାଜସ୍ୱ ଖର୍ଚ୍ଚ ହେଉଛି ସିନା ସାଧାରଣ ଲୋକେ ସୁପଂଳ ପାଇପାରୁନାହାଁନ୍ତି ।