ରାହୁଲ ଉଦ୍ଧାର ପୂର୍ବରୁ ଶୁଭିଲା ଜୟ ଜଗନ୍ନାଥ। ରେସ୍କ୍ୟୁରେ ପ୍ରମୁଖ ଭୂମିକା ନେଲେ ଏନଡିଆରଏଫ ଟିମ୍। 

135

କନକ ବ୍ୟୁରୋ :  ରାହୁଲକୁ ଉଦ୍ଧାର କରିବା ଏତେ ସହଜ ଟାର୍ଗେଟ ନଥିଲା । ଅପରେସନ୍ ରାହୁଲ ଆରମ୍ଭରୁ ଜୟ ଜଗନ୍ନାଥ ନାରା ଦେଇଥିଲେ ଜାଞ୍ଜଗିରର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା । ଜିଲ୍ଲାପାଳଙ୍କ ସାଥିରେ ସ୍ୱର ମିଳାଇ ଜୟ ଜଗନ୍ନାଥ ନାରା ଦେଇ ଅପରେସନ୍ ଆରମ୍ଭ କରିଥିଲେ ଏନଡିଆରଏଫ ଟିମ୍ । ଆଉ ସମସ୍ତଙ୍କ ମନରେ ବିଶ୍ୱାସ ଥିଲା ଜଗନ୍ନାଥ ସାଙ୍ଗରେ ଅଛନ୍ତି, ତେଣୁ ମାଟି ଚିରି କୁନି ପୁଅ ରାହୁଲକୁ ନିଶ୍ଚିତ ଉଦ୍ଧାର କରାଯାଇପାରିବ । ଅପରେସନ୍ର କିଛି ସମୟ ପରେ ରୋବଟିକ୍ ଅପରେସନ୍ କରିଥିଲା ଏନଡିଆରଏଫ । ଫେଲ ମାରିଥିଲା ପ୍ରାଥମିକ ପ୍ରୟାସ ।  କିନ୍ତୁ ହାର ମାନିନଥିଲେ ଉଦ୍ଧାରକାରୀ ଟିମ୍ । ଜୀବନକୁ ବାଜି ଲଗାଇ ରାହୁଲକୁ ଉଦ୍ଧାର କରିବା ପାଇଁ ରାତି ଦିନ ଏକ କରିଦେଇଥିଲେ ଏନଡିଆରଏଫର ଓଡିଆ ଜବାନ ।

୧୦ ଜୁନ, ସନ୍ଧ୍ୟା ୫ଟା ୪୫ ଭିଲାଇ ସ୍ଥିତ ଏନଡିଆରଏଫ ଟିମକୁ ଆସିଲା ଫୋନକଲ୍ । ବୋରୱେଲରେ ଜଣେ ବାଳକ ପଡିଯାଇଥିବା ଖବର ମିଳିବାର ମାତ୍ର ପନ୍ଦର ମିନିଟ ଭିତରେ ଚାମ୍ପା ଅଭିମୁଖେ ବାହାରିଲା ଏନଡିଆରଏଫ ଟିମ ।  କଟକ ମୁଣ୍ଡଳୀ ଏନଡିଆରଏଫର ଗୋଟିଏ ଟିମ ଭିଲାଇରେ ଥିବା ବେଳେ ଓଡିଶାରୁ ବାହରିଥିଲା ୧୦ ଜଣିଆ ଏକ୍ସପର୍ଟ ଟିମ ।

ଚାମ୍ପାରୁ ଘଟଣାସ୍ଥଳ ଥିଲା ଅଢେଇ ଶହ କିଲୋମିଟର, କଟକରୁ ଥିଲା ସାଢ଼େ ୪ଶହ କିଲୋମିଟର ଦୂର ।  ସେଥିପାଇଁ ବାଟରେ ଯିବା ବେଳେ ଭିଡିଓ କଲରେ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଂଟ ।  ରାହୁଲ ପାଣି ଭିତରେ ଥିବାର ଆଶଙ୍କା  କରି ଆଖପାଖର ବୋରୱେଲ ମୋଟର ଲଗାଇ ପାଣି ଶୁଖାଇବା ପାଇଁ ପ୍ରଚାର କରାଗଲା ।  ଘଟଣାସ୍ଥଳରେ ପହଞ୍ଚିଲା ପରେ ଆରମ୍ଭ ହେଲା ରେସକ୍ୟୁ ଅପରେସନ ।

ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଖାଇବା ପିଇବା ଭୁଲି ଯାଇଥିଲେ ଏନଡିଆରଏଫ୍ ଯବାନ । ସେମାନଙ୍କ ଆଗରେ ଥିଲେ ଗୋଟିଏ ଲକ୍ଷ୍ୟ, ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା । ୧୦୫ ଘଣ୍ଟାର ନିରନ୍ତର ପ୍ରୟାସ ପରେ ଯେତେବେଳେ ସଫଳତାର ସମୟ ଆସିଥିଲା, ସମସ୍ତେ ଆତ୍ମହରା ହୋଇ ଉଠିଥିଲେ । ଜୟ ଜଗନ୍ନାଥରୁ ଆରମ୍ଭ ହୋଇଥିଲା ନାରା, ସରିଥିଲା ଭାରତ ମାତା କି ଜୟ ସ୍ଲୋଗାନରେ ।