ଜଗଦୀପ ଧନକଡ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ। ଘୋଷଣା କଲେ ଜେପି ନଡ୍ଡା।

544

କନକ ବ୍ୟୁରୋ : ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଜଗଦୀପ ଧନକଡ । ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଜଗଦୀପଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରେସମିଟରେ ଘୋଷଣା କରିଛନ୍ତି।

ଶନିବାର ବିଜେପି ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ପରେ ଜେପି ନଡ୍ଡା ପ୍ରେସମିଟରେ ତାଙ୍କ ନାମ ଘୋଷଣା କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇଥିଲେ । ଦ୍ୱିପ୍ରହରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିଲେ ଜଗଦୀପ ଧନକଡ । ସେହିଭଳି ଶୁକ୍ରବାର ଅମିତ ଶାହଙ୍କୁ ମଧ୍ୟ ସେ ଭେଟିଥିଲେ । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ପଡିବ । ଏହି ଦିନ ହିଁ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

ଉପରାଷ୍ଟ୍ରପତି ନିର୍ବାଚନରେ ସାଂସଦ ଭୋଟ ଦେଇଥାନ୍ତି । ଲୋକସଭା ଏବଂ ରାଜ୍ୟସଭାର ସାଂସଦ ଭୋଟ ଦେଉଥିବା ବେଳେ ବର୍ତ୍ତମାନ ୭୮୦ ସାଂସଦ ରହିଛନ୍ତି । ଭାଜପା ପାଖରେ ୩୯୪ ସାଂସଦ ଥିବା ବେଳେ ଜିତିବା ପାଇଁ ୩୯୦ ସାଂସଦଙ୍କ ଭୋଟ ଦରକାର । ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଏମ ଭେଙ୍କୟା ନାୟଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି ।