ଜଗତସିଂହପୁର ମୁଗୁରାନାଳ ନଦୀ ପୁନଃଉଦ୍ଧାର ନାଁରେ ସରକାରୀ ଅର୍ଥ ହରିଲୁଟ୍ ଅଭିଯୋଗ । ନଦୀ ଖୋଳି ନଦୀ ପୋତୁଛି ଠିକାଦାର ।

41

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଚାରି ନମ୍ବର ଜୋନରେ ରହିଛି ମୁଗୁରାନାଳ । ଖାଲଗାଁ ଠାରୁ ଦେବୀ ନଦୀରୁ ବାହାରି ଅପଣ୍ଡରା, ଓଳାଷ ଦେଇ ପ୍ରବାହିତ ହେଉଥିବା ମୁଗୁରା ନୂଆଗାଁ ଠାରୁ ଦୁଇ ଭାଗ ହୋଇଛି । ଫାଳେ ନୂଆଗାଁ ଠାରୁ ଫୁଲବେଲାରୀ ଦେଇ ପଥର ବନ୍ଧ ନିକଟରେ ସମୁଦ୍ରରେ ମିଶିଛି । ଆଉ ଫାଳେ ଅନନ୍ତପୁର ଦେଇ ଏରସମା ବ୍ଲକ୍ ଘୋଷା ଘର ପର୍ଯ୍ୟନ୍ତ ଯାଇଛି । ଏହି ନଦୀ ଉପରେ ୮ଟି ପଞ୍ଚାୟତର ୨୦ ହଜାର ଚାଷୀ ନିର୍ଭରଶୀଳ । ଦୀର୍ଘ ଦୁଇ ଦଶନ୍ଧିର ଦାବି ପରେ ମୁଗୁରା ନଦୀ ପୁନଃଉଦ୍ଧାର ପାଇଁ ପ୍ରାୟ ୧୩ କୋଟି ୬୩ ଲକ୍ଷ ଟଙ୍କା ସରକାର ବ୍ୟୟ ବରାଦ କରିଛନ୍ତି । କୋଟି କୋଟି ଟଙ୍କାର କାମ ଚାଲିଥିବା ବେଳେ ସୂଚନା ଫକଳ ଲଗାଇନାହିଁ ଠିକାଦାର । ଲୋକଙ୍କୁ ଅନ୍ଧାରରେ ରଖି ଟଙ୍କା ଚଳୁ କରିବାକୁ ଠିକାଦାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ମୁଗୁରାନାଳ ପୁନଃଉଦ୍ଧାରରେ ବିଚିତ୍ର ବ୍ୟବସ୍ଥା । ନଦୀ ଖୋଳି ନଦୀ ପୋତୁଛି ଠିକାଦାର । ୨୦୦୦ ମସିହାରୁ ମୁଗୁରା ନଦୀରୁ ଦଳ ସଫା ନହେବା ଓ ଆଡି ବନ୍ଧ ହେବାରୁ ନଦୀ ପୋତି ହୋଇଯାଇଛି । ନଦୀର ପୁନଃରୁଦ୍ଧାର ପାଇଁ ସେବେ ଠାରୁ ଦାବି ହୋଇଆସୁଥିଲା । ଦୀର୍ଘ ୨ ଦଶନ୍ଧିର ଦାବି ପରେ ୧୩ କୋଟି ୬୩ ଲକ୍ଷ ଟଙ୍କାରେ ନଦୀ ପୁନଃଉଦ୍ଧାର କାମ ଚାଲିଛି । କୋଲକାତାର ରିଭରାଇନ୍ ଡ୍ରେଜିଂ ଇଣ୍ଡିଆ ଲିମିଟେଡ୍ ନାମକ ଠିକା ସଂସ୍ଥା କାମ ବାବଦରେ ସୂଚନା ଫଳକ ନଲଗାଇ କାମ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢୁଛି ।

ବିରୋଧ ପାଇଁ ସ୍ଥାନୀୟ ଲୋକଙ୍କ ସଜବାଜ । ଠିକାଦାରକୁ ସୁହାଇବା ଭଳି ଚାଲିଛି ପୁନଃଉଦ୍ଧାର । କେତେ ଗଭୀର, କେତେ ଚଉଡ଼ା ଓ କେତେ ଲମ୍ବାର ନଦୀ ଖୋଳା ଯିବ ? ତାହା ସ୍ଥାନୀୟ ଲୋକଙ୍କୁ ଜଣାନାହିଁ । ଆଶ୍ଚର୍ଯ୍ୟର କଥା ଗୋଟିଏ ପଟେ ନଦୀ ଖୋଳି, ଅନ୍ୟପଟେ ନଦୀକୁ ପୋତି ଦିଆଯାଉଛି । ନୂଆଗାଁ ଠାରୁ ଖାଲଗାଁ ନଦୀକୁ ଖୋଳି, ନୂଆଗାଁ ଠାରୁ ପାଳଧୂଆ ନଦୀକୁ କାହିଁକି ପୋତା ଯାଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । କାମର ତଦାରଖ କରୁଥିବା ଓସିସି ଅଧିକାରୀଙ୍କୁ କାମ ବାବଦରେ ପ୍ରଶ୍ନ କଲେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାନ୍ତି ।

ଡ୍ରେନେଜ୍ ବିଭାଗ ଓ ଓସିସି ଅଧିକାରୀଙ୍କ ମଧୂଚନ୍ଦ୍ରିକାରେ ପୁନଃରୁଦ୍ଧାର କାମ ବାଟବଣା ହେଉଛି । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠିଛି, ମୁଗୁରାନାଳ ନାଁରେ ଟଙ୍କା ହଡ଼ପ ପାଇଁ ଷଡଯନ୍ତ୍ର ହୋଇଛି କି ? କୋଲକାତା କମ୍ପାନୀ କାମ କରୁଥିବା ବେଳେ ଫଳକ ଲଗାଇନାହିଁ କାହିଁକି ? ଲୋକଙ୍କୁ ଅନ୍ଧାରରେ ରଖି କ’ଣ ଲୁଚାଇବା ପାଇଁ ଚାହୁଁଛି ଠିକା ସଂସ୍ଥା ? ଗୋଟିଏ ପଟେ ନଦୀ ଖୋଳି ଅନ୍ୟପଟେ ନଦୀ ପୋତିବାକୁ ଅନୁମତି ଦେଇଛି କିଏ ? ନଦୀରୁ ବାହାରୁଥିବା ବାଲିକୁ ବିକ୍ରି କରିବା ପାଇଁ ମସୁଧା ଚାଲିଛି କି ?